୨୦୨୩ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ଆଦାନୀ ଗ୍ରୁପର ୪ କମ୍ପାନିରେ ଅଧିକ ନିବେଶ କରିଛି ଏଲଆଇସି: ରିପୋର୍ଟ


ନୂଆଦିଲ୍ଲୀ: ସରକାରଙ୍କ ଦ୍ଵାରା ସଞ୍ଚାଳିତ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଆର୍ଥିକ ବର୍ଷ ୨୦୨୨-୨୩ର ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଆଦାନୀ ଗ୍ରୁପର ଚାରୋଟି କମ୍ପାନିରେ ନିଜର ଅଂଶଧନ ବୃଦ୍ଧି କରିଛି। ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହା ଜଣା ପଡିନାହିଁ ଯେ, ଏହି ଅଂଶଧନ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ନିବେଶ କରାଯାଇଛି ନା ପୂର୍ବରୁ। ଆଦାନୀ ଗ୍ରୁପର ଷ୍ଟକ ଜାଲିଆତି ସଂପର୍କିତ ହିଣ୍ଡେନବର୍ଗର ରିପୋର୍ଟ ୨୦୨୩ ଜାନୁଆରୀ ୨୪ରେ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ଏଲଆଇସି ଦ୍ଵାରା ଗୌତମ ଆଦାନୀଙ୍କ ପ୍ରମୁଖ କମ୍ପାନିରେ ଅଧିକ ଅର୍ଥ ନିବେଶ କରିବା ରାଜନୈତିକ ହଙ୍ଗାମାର ମୁଖ୍ୟ କାରଣ ପାଲଟିଛି। କାରଣ ଏହା ଜନତାଙ୍କ ଅର୍ଥ। ଏଥିପାଇଁ ଏଲଆଇସିକୁ ଏହି ମାମଲାରେ ସାମ୍ନାକୁ ଆସି ସଫେଇ ଦେବାକୁ ପଡିଥିଲା ଯେ, ଜନତାଙ୍କ ଅର୍ଥ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି।

ଟ୍ରେଣ୍ଡଲାଇନର ତଥ୍ୟ ଅନୁଯାୟୀ, ୨୦୨୩ ମାର୍ଚ୍ଚ ସୁଦ୍ଧା ଆଦାନୀ ଏଣ୍ଟରପ୍ରାଇଜେସରେ ଏଲଆଇସି ୪.୨୬ ପ୍ରତିଶତ ଅଂଶଧନ ରହିଥିଲା। ୨୦୨୨ ଜୁନର ଶେଷ ଆଡକୁ ଏଲଆଇସି ଆଦାନୀ ଗ୍ରୁପରେ ୩.୮୫ ପ୍ରତିଶତ ଅଂଶଧନ ନିବେଶ କରିଥିଲା। କିନ୍ତୁ ୨୦୨୧ ଜୁନ ସୁଦ୍ଧା ଏହାର ପରିମାଣ ମାତ୍ର ୧.୩୨ ପ୍ରତିଶତ ରହିଥିଲା।

ଏହି ଧରଣର ତଥ୍ୟରୁ ଜଣା ପଡୁଛି ଯେ, ଏଲଆଇସି ଗତ କିଛି ବର୍ଷରେ ଆଦାନୀ ଗ୍ରୁପର ଆହୁରି ତିନୋଟି କମ୍ପାନିରେ ନିଜର ଅର୍ଥ ନିବେଶ କରିଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏଲଆଇସିର ଆଦାନୀ ଗ୍ରୁପରେ ୬.୦୨ ପ୍ରତିଶତ ଅଂଶଧନ ରହିଥିଲା।

ତଥ୍ୟ ଅନୁଯାୟୀ, ସରକାରଙ୍କ ମାଲିକାନାରେ ଥିବା ବୀମା କମ୍ପାନି ଏଲଆଇସି ଗୌତମ ଆଦାନୀଙ୍କ ଟୋଟାଲ୍ ଗ୍ୟାସରେ ୨୦୨୧ ଡିସେମ୍ବର ସୁଦ୍ଧା ୪.୬୫ ପ୍ରତିଶତ ଅଂଶଧନ ରହିଥିଲା। ଯାହା ୨୦୨୨ ଜୁନରେ ବଢି ୫.୫୪ ପ୍ରତିଶତ ଏବଂ ୨୦୨୨ ଡିସେମ୍ଵରରେ ୫.୯୬ ପ୍ରତିଶତରେ ପହଞ୍ଚିଥିଲା।

ସେହିପରି ୨୦୨୩ ମାର୍ଚ୍ଚ ସୁଦ୍ଧା ଏଲଆଇସିର ଆଦାନୀ ଟ୍ରାନ୍ସମିଶନରେ ୩.୬୮ ପ୍ରତିଶତ ଅଂଶଧନ ରହିଥିଲା। ୨୦୨୦ ଡିସେମ୍ବର ସୁଦ୍ଧା ଏହା ୨.୪୨ ପ୍ରତିଶତ ଅଂଶଧନ ରହିଥିଲା। ଯାହା ୨୦୨୧ ଡିସେମ୍ବରରେ ବଢି ୨.୭୮ ପ୍ରତିଶତ, ୨୦୨୨ ଜୁନରେ ୩.୨୮ ପ୍ରତିଶତ ଏବଂ ୨୦୨୨ ଡିସେମ୍ବରରେ ୩.୬୫ ପ୍ରତିଶତକୁ ବୃଦ୍ଧି ଘଟିଥିଲା।

୨୦୨୩ ମାର୍ଚ୍ଚ ସୁଦ୍ଧା ଏଲଆଇସିର ଆଦାନୀ ଗ୍ରୀନ ଏନର୍ଜିରେ ଅଂଶଧନ ୧.୩୬ ପ୍ରତିଶତ ରହିଥିଲା। ୨୦୨୨ ଡିସେମ୍ବର ସୁଦ୍ଧା ଏହା ୧.୨୮ ପ୍ରତିଶତ ରହିଥିବା ରିପୋର୍ଟରୁ ପ୍ରକାଶ।