Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉଦଯାପିତ ହୃଦୟତନ୍ତ୍ରୀକୁ ଚହଲାଇଦେଲା ବିଦାୟବେଳାଦର୍ଶକ ସାଜିଲେ ମହୋତ୍ସବର ଅଘୋଷିତ କଳାକାର

ଭବାନୀପାଟଣା, ୧୮/୦୧ (ଜଗନ୍ନାଥ ନାଏକ) : ଚତୁର୍ଥ ଦିନରେ ବି କଳା, କଳାକାର ଓ କଳାପ୍ରେମୀଙ୍କ ଆଗ୍ରହ ଓ ଉତ୍ସାହ ଆଦୌ କମିନଥିଲା। ଜିଲ୍ଲା ତଥା ଜିଲ୍ଲା ବାହାର ଏପରିକି ରାଜ୍ୟ ବାହାରର ଲୋକେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଏହି ମହାକୁମ୍ଭରେ ନିଜକୁ ସାମିଲ କରିନେଇଥିଲେ । ମଞ୍ଚ ଉପରେ କଳାକାରମାନେ ନିଜର କଳା ପ୍ରଦର୍ଶନ କରୁଥିଲେ ସତ କିନ୍ତୁ ସହିଦ ରେଣ୍ଡୋ ମାଝୀ ମଞ୍ଚ ଓ ପାରବା ମଞ୍ଚ ବାହାରେ ବସିଥିବା ଦର୍ଶକ ଅର୍ଥାତ୍ ଆବାଳ, ବୃଦ୍ଧ, ବନିତା ଏହି ମହୋତ୍ସବର ଜଣେ ଜଣେ ଅଘୋଷିତ କଳାକାର ଭାବେ ଉଭା ହୋଇଥିଲେ । କ୍ୟାମେରା ବୁଲୁଥିଲା, ଫଟୋ ଉଠୁଥିଲା । ମଞ୍ଚ ଉପରେ ନାଚ, ମଞ୍ଚ ତଳେ ନାଚ । ଏପରିକି ସମ୍ବଲପୁରୀ ଗାୟକ ଗାୟିକାମାନଙ୍କୁ ଗୋଟିକ ପରେ ଗୋଟିଏ ଫରମାଇସ୍ ମାହୋଲକୁ ଆହୁରି ରସାଣିତ କରି ତୋଳିଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକ ଏତେ ମନଛୁଆଁ ହୋଇଥିଲା ଯେ, ଅତିଥି, ଦର୍ଶକ ଓ କଳାକାରଙ୍କ ପାଦ ଏକାବେଳକେ ଥରି ଉଠୁଥିଲା । ସେହିପରି ଦେଶର ଏହି ଚର୍ଚ୍ଚିତ ସାଂସ୍କୃତିକ ମହାକୁମ୍ଭକୁ ନିଜ କ୍ୟାମେରା ଲେନ୍ସରେ ତୋଳି ଧରିବାକୁ ସମସ୍ତେ ବ୍ୟସ୍ତ ଓ ବ୍ୟଗ୍ର ଥିଲେ । ସତେ ଯେମିତି ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଅନ୍ତିମ ସାଂସ୍କୃତିକ ସନ୍ଧ୍ୟା ସମସ୍ତଙ୍କ ହୃଦୟରେ ଛାପଟିଏ ଛାଡିଦେଇଗଲା, ହୃଦୟତନ୍ତ୍ରୀକୁ ଚହଲେଇ ଦେଇଗଲା। ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ତନ୍ମୟ ଦରୱାନ, ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି, ସିଆର୍ ପିଏଫ୍ ୬୪ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ପି. ଅନ୍ବେଷା ରେଡ୍ଡୀ ଅଧ୍ୟକ୍ଷତା କରିବା ସହିତ ସ୍ବାଗତ ଅଭିଭାଷଣ ଦେଇ ଜିଲ୍ଲାର ସାଂସ୍କୃତିକ ବିଭବକୁ ଆହୁରି ଉଚ୍ଚକୁ ନେବାକୁ ଆହ୍ବାନ ଦେବା ସହିତ ଜିଲ୍ଲାବାସୀଙ୍କ କଳା, ସଂସ୍କୃତି ପ୍ରତି ଗଭୀର ଅନୁରକ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶିଷ୍ଟ ବାଗ୍ମୀ ସତ୍ୟନାରାୟଣ ମୁଣ୍ଡଛିନା ସଭା ପରିଚାଳନା ସହିତ ଧନ୍ୟବାଦ ଦେଇଥିଲେ । ଏହାପରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକଗୀତ ପରିବେଷଣ, ଶ୍ରୀ ଜଗନ୍ନାଥ ସଙ୍ଗୀତ ମହାବିଦ୍ୟାଳୟ ଦ୍ବାରା ସୁଗମ ସଙ୍ଗୀତ, ପୁରୁଣାଗୁମା ଶୁଭମ ଦ୍ବାରା ଘୁମୁରା, କଳାହାଣ୍ଡି କଳା ବିକାଶ କେନ୍ଦ୍ର ଦ୍ବାରା ଓଡ଼ିଶୀ, ବରଗଡ଼ କଳାଜୀବୀ ଦ୍ବାରା ଡାଲଖାଇ, ସଙ୍ଗମ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ଝାଡ଼ଖଣ୍ଡର ମୟୁରୀ, ଭବାନୀପାଟଣାର ନୃତ୍ୟାଙ୍ଗନା, ଭବାନୀପାଟଣାର ମୟୁରୀ, ଜେକେ ୱାର୍ଲଡ, ନଟରାଜ କଳା ପରିଷଦ, ସୁହାଗପୁର, ଶ୍ରୀ ଅରବିନ୍ଦ କଳାକେନ୍ଦ୍ର,ନୃତ୍ୟକଳା ଅନୁଷ୍ଠାନର ବଜାଶାଲ୍ ନୃତ୍ୟ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା । ସେହିପରି ପାରବା ମଞ୍ଚରେ ୪୦ରୁ ଅଧିକ ଦଳଗତ ଓ ଏକକ ନୃତ୍ୟ ପରିବେଷିତ ହୋଇଥିଲା। ସହିଦ ରେଣ୍ଡୋ ମାଝୀ ମଞ୍ଚରେ ସୁଧୀର ନାଏକ, ମନୋଜ ଶର୍ମା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଲୋଚନୀ ବାଗ ଏବଂ ପାରବା ମଞ୍ଚରେ ସୁଶୀଲ ଗହୀର, ସାବିତ୍ରୀ ମହାରଣା, ଦିପ୍ତୀମୟୀ ସିଂ, ଡିଲେଶ୍ୱର ରଣା, ଲିପ୍ସା ମହାରଣା ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେହିପରି ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବରେ ସୁନାମଧନ୍ୟ ଗାୟକ ଓ ସଙ୍ଗୀତକାର ଶତ୍ରୁଘନ ଲୁହାର, ପଦ୍ମିନୀ ଦୋରା, ନବୀନ କହଁର, ଆରତୀ କୁମ୍ଭାର, ଦୁଷ୍ମନ୍ତ ସୁନା, ଆଶିଷ କୁମ୍ଭାର ଏବଂ ସାଥୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ଯାଏଁ ଲକ୍ଷାଧିକ ଦର୍ଶକଙ୍କୁ ବାନ୍ଧି ରଖିଥିଲା।