Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷ ଜମିରେ ହସି ଉଠିଛି ଉନ୍ନତ ମାନର କ୍ୟାପଶିକମ୍, ଶୀତଳ ଭଣ୍ଡାର ନଥିବା ଯୋଗୁଁ କ୍ଷତି ସହୁଛି ଚାଷୀ ।

କୋକସରା:୦୯/୦୨
ସରକାର ଚାଷୀଙ୍କୁ ଚାଷ ରେ ସହଯୋଗ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନଥିବା ଯୋଗୁଁ ଚାଷୀ କ୍ଷତି ସହୁଥିବା ଅଭିଯୋଗ ହେଉଛି । ଅଞ୍ଚଳରେ ପିଆଜ ଚାଷୀ ଶୀତଳ ଭଣ୍ଡାର ଅଭାବରୁ କ୍ଷତି ସହୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ କ୍ୟାପଶିକମ ଚାଷୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଧର୍ମଗଡ ବ୍ଲକ ଗଡିଆଯୋର୍ ଗ୍ରାମ ପଞ୍ଚାୟତ ର ଟୁରି ହଳଦୀ ଗାଁ ର ଚାଷ ଜମିର ଦୃଶ୍ୟ । ଏହି ଜମିରେ ହସି ଉଠିଛି ଉନ୍ନତ ମାନର କ୍ୟାପସିକମ୍ । ଏହି ଚାଷ କରିଛନ୍ତି ଯୁବ ଚାଷୀ ଗୋଷିଙ୍ଗ ନାଗ । ସେ ଦୀର୍ଘ ୧୦ ବର୍ଷ ହେଲା ପନିପରିବା ଚାଷ ପ୍ରତି ଆକୃଷ୍ଟ ହୋଇ ଚାଷ କାମ ଆରମ୍ଭ କରିଥିଲେ । ପୂର୍ବରୁ ସେ ନିଜ ଚାଷ ଜମିରେ ବାଇଗଣ, ଟମାଟୋ, କଲରା, କୋବି, କଞ୍ଚାଲଙ୍କା, ଭେଣ୍ଡି ସମେତ ବିଭିନ୍ନ ପ୍ରକାର ପରିବା ଚାଷ କରୁଥିଲେ । ତେବେ ଆଜକୁ ଦୁଇ ବର୍ଷ ତଳେ ସେ କ୍ୟାପସିକମ ଚାଷ କରିବା ପାଇଁ ମନ ବଳାଇ ମାତ୍ର ୧୦ ଡିସିମିଲ ଜମିରେ ଆରମ୍ଭ କଲେ ଏହି ଚାଷ । ପରବର୍ତ୍ତୀ ସମୟରେ ସେହି ଚାଷ ଭଲ ହେବା ଏବଂ ଦୁଇ ପଇସା ଭଲ ରୋଜଗାର କରି ଆହୁରି ଚାଷ ବଢ଼ାଇବାକୁ ନିଷ୍ପତି ନେଲେ। ବର୍ତମାନ ସେ ପ୍ରାୟ ୫ଏକର ଚାଷ ଜମିରେ ଏହି କ୍ୟାପଶିକମ୍ ଚାଷ ଆରମ୍ଭ କରିଛନ୍ତି । ଦୈନିକ ତାଙ୍କ କ୍ୟାପଶିକମ୍ ବଗିଚାରୁ ଏକ କୁଇନଟାଲ ରୁ ଉର୍ଦ୍ଧ୍ବ ବିକ୍ରି କରୁଥିବା ବେଳେ ଦିନକୁ ୫ ହଜାର ଟଙ୍କା ଆୟ ହିସାବରେ ମାସକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଏହି ଚାଷ ରୁ ଆୟ କରୁଛନ୍ତି । ତେବେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ତାଙ୍କ ବଗିଚାକୁ ବେପାରୀ ମାନଙ୍କ ଭିଡ ଲାଗୁଛି । କିଲୋ ପିଛା ମାତ୍ର ୫୦ ଟଙ୍କା ରେ ସେ ବିକ୍ରି କରୁଥିବା ବେଳେ ତାକୁ ବେପାରୀ ମାନେ ୧୨୦ ଟଙ୍କା କିଲୋ ପିଛା ବିକ୍ରି କରୁଛନ୍ତି । ଯାହା ଫଳରେ ଚାଷୀ ଠାରୁ ବେଶୀ ଲାଭବାନ ହେଉଛି ବେପାରୀ । ଗଡିଆଯୋର ପଞ୍ଚାୟତ ପନିପରିବା ଚାଷ ପାଇଁ ଜିଲ୍ଲାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ବର୍ତ୍ତମାନ ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ଉନ୍ନତ ମାନର କାପ୍ସିକମ୍ ଚାଷ ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି । ବର୍ତମାନ ଟୁରୀ ହଳଦୀ, ଗଡ଼ିଆଯୋର ତଥା ଆଖ ପାଖ ଅଞ୍ଚଳର ବହୁ ଚାଷୀ ଏହି କାପ୍ସିକମ ଚାଷ ପାଇଁ ନିଜ ଜମି ପ୍ରସ୍ତୁତ କରୁଥିବା ଦେଖା ଯାଉଛି। ଯୁବ ଚାଷୀ ଗୋଷୀଙ୍ଗ ନାଗ ୨୦୧୮ ମସିହାରେ ମହାରାଷ୍ଟ୍ର କୁ ଏକ୍ସ୍ପୋଜର ଭିଯିଟ ରେ ଯାଇ କାପସିକମ୍ ଚାଷ ବିଷୟରେ ଜାଣି ସେ ଏହି ଚାଷ ଆରମ୍ଭ କରିଥିବା ବେଳେ ତାଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ଉଦ୍ୟାନ ବିଭାଗ ପକ୍ଷରୁ ଡ୍ରିପ ସିଷ୍ଟମ, ନେଟ୍ ହାଉସ, ଡଗ ୱେଲ, ସମେତ ସମସ୍ତ ପ୍ରକାର ସରକାରୀ ସବସିଡି ମଧ୍ୟ ଯୋଗାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଏହି ସବୁ ସହାୟତା ଦେଖି ଅନ୍ୟ ଚାଷୀ ମାନେ ମଧ୍ୟ ଉତ୍ସାହିତ ହୋଇ ଆହୁରି ବ୍ୟାପକ ପରିମାଣରେ ପନିପରିବା ଚାଷ ତଥା ଏହି ଉନ୍ନତ ମାନର କାପସିକମ ଚାଷ ପାଇଁ ଆଗ୍ରହ ହେଉଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟନବିତ ଙ୍କୁ ଯୋଗାଯୋଗ କରିବାରୁ ଶୀତଳ ଭଣ୍ଡାର ଖୁବ୍ ଶୀଘ୍ର ହେବା ସହ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ିବନି ବୋଲି କହିଥିଲେ । ଏହି ସବୁ ପନିପରିବା ଚାଷ ପାଇଁ ବିଶେଷ କରି ଯୁବ ପୀଢ଼ି ଆଗେଇ ଆସୁଥିବା ବେଳେ ଚାଷ ଅମଳ ପରେ କୌଣସି ପ୍ରକାର ଭଲ ବିକ୍ରି ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ନିରାଶ ହୋଇ ଯାଉଛନ୍ତି । ଦୀର୍ଘ ବର୍ଷ ରୁ ଏହି ଅଞ୍ଚଳରେ ଶୀତଳ ଭଣ୍ଡାର ପାଇଁ ଦାବି ହୋଇ ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଫଳପ୍ରଦ ହୋଇପାରିନାହିଁ । ତେଣୁ ରାଜ୍ୟ ସରକାର ଚାଷୀ ମାନଙ୍କ ପ୍ରତି ଦୃଷ୍ଟି ଦେଇ ଶୀତଳ ଭଣ୍ଡାର ର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories