କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କଲା ସମ୍ବିଧାନ ସଚେତନତା ରଥ
କଳାହାଣ୍ଡି, ୨୦/୧୧-ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରତୀୟ ସମ୍ବିଧାନର ଗୌରବମୟ ଗାଥା ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବାକୁ ବୁଲୁଛି ସମ୍ବିଧାନ ସଚେତନତା ରଥ। ମୂଳନିବାସୀ ବହୁଜନ ମିଳିତ ମହାସଂଘ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଚେତନତା ଯାତ୍ରା ବିଭିନ୍ନ ଜିଲ୍ଲା ଅତିକ୍ରମ କରି ଏବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରୁଛି। ଆଜି ଜିଲ୍ଲାର କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କରିଥିବାବେଳେ କଲମପୁର ଆମ୍ବେଦକର ଛକରେ ଏହି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ରଥକୁ ସ୍ୱାଗତ ଜଣାଇଥିଲେ। ସେହିପରି ଥୁଆମୂଳ ରାମପୁର ବ୍ଲକର ମହୁଲପାଟଣାଠାରେ ସମ୍ବିଧାନ ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବହୁସଂଖ୍ୟକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜନ ପ୍ରତିନିଧି ଓ ସାଧାରଣ ଲୋକେ ଏହାକୁ ସ୍ୱାଗତ କରିଥିଲେ। ମୂଳନିବାସୀ ବହୁଜନ ମିଳିତ ମହାସଂଘର ରାଜ୍ୟ ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯତୀନ୍ଦ୍ର କରଙ୍କ ସମେତ ବହୁସଂଖ୍ୟକ କର୍ମକର୍ତ୍ତା ଏହି ରଥ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ସମ୍ବିଧାନ ଅବଧାରଣା ସମ୍ପର୍କରେ ସୂଚିତ କରୁଥିବା ଜଣାଯାଏ।

