ଆର ଉଦୟଗିରି ଥାନା ଅଂଚଳରେ ଘଟିଥିବା ଏକ ଅପହରଣ ତଥା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ୨୦ ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି:୨୧/୧୧(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅଂଚଳରେ ଘଟିଥିବା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ l ଦିନକୁ ଦିନ ସମାଜରେ ଦୁଷ୍କର୍ମ ତଥା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଶୁଣିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି।ସୂଚନାଯୋଗ୍ୟ, ଗତବର୍ଷ ଆର. ଉଦୟଗିରି ଥାନା ଅନ୍ତର୍ଗତ ଏନ. ଝାଲର ସିଂ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସରିବା ପରେ ଯେତେବେଳେ ପିଡ଼ିତା ନିଜ ଘରକୁ ଫେରି ନଥିଲେ ସେତେବେଳେ ତାଙ୍କ ବାପା ଚାରିଆଡେ ଖୋଜିବା ପରେ ତା ୧୦-୦୧-୨୦୨୪ରେ ଆର. ଉଦୟଗିରି ଥାନାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ହଜିବା ମାମଲା ଦାୟର କରିଥିଲେ। ସବ-ଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ପରେ ପିଡ଼ିତାଙ୍କ ବାପା କୌଣସି ସୂତ୍ରରୁ ଖବର ପାଇଲେ ଯେ, ଅଭିଯୁକ୍ତ ଯୁବରାଜ କିଶୋର ପାଣି ଓରଫ ଅମିତ ପାଣି ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ନିଜ ଘରେ ପିଡ଼ିତାଙ୍କୁ ଅପହରଣ କରି ବନ୍ଦୀ କରି ରଖିଛି। ପରେ ଆର ଉଦୟଗିରି ଥାନାର ସହାୟତାରେ ପିଡ଼ିତାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଆଜି ୨୧ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୬ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ବାହାହେବା ପାଇଁ ଅପହରଣ କରିବା ପାଇଁ ଥିବା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୬୬ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଅପହରଣ ପାଇଁ ରହିଥିବା ଧାରା ୩୬୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ଏଥିସହ ମାନ୍ୟବର ବିଚାରପତି ନିଜ ରାୟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସମସ୍ତ ଜୋରିମାନା ରାଶି ପିଡ଼ିତାଙ୍କୁ ପ୍ରଦାନ କରାଯିବ। ସେହିପରି ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୪ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆର. ଜନାର୍ଦ୍ଦନ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

