ଖୋର୍ଦ୍ଧା ବାଘମାରୀ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ; ନାବାଳିକାଙ୍କ ମୃତ୍ୟଦେହ ଉଦ୍ଧାର
ଖୋର୍ଦ୍ଧା ;୨୪|୧୧: ରାଜ୍ୟରେ ଅପରାଧ ବଢ଼ିବା ଭିତରେ ଖୋର୍ଦ୍ଧାର ବାଘମାରି ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି । ଗତକାଲି ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର ହୋଇଥିବା କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି | ଏହାପରେ ବିବାଦ ତେଜିବାରେ ଲାଗିଛି । ଛାତ୍ରୀ ଜଣକ ନୟାଗଡ଼ ଜିଲ୍ଲା ରାଜସୁନାଖଳାର ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷରେ ପଢୁଥିଲେ । ଶନିବାର ସନ୍ଧ୍ୟାରୁ ସେ ହଷ୍ଟେଲରୁ ନିଜ ପୁରୁଷ ବନ୍ଧୁଙ୍କ ସହିତ ବାହାରକୁ ଯାଇଥିଲେ କିନ୍ତୁ ହଷ୍ଟେଲକୁ ଫେରିନଥିଲେ । ଓସ୍ତପୁର ନିକଟରୁ ମୂର୍ମୁଷ ଅବସ୍ଥାରେ ଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥଲେ। ପରେ ଖୋର୍ଦ୍ଧା ଚିକିତ୍ସାଳୟରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଛାତ୍ରୀଙ୍କ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି ।
ଏହି ହତ୍ୟା ମାମଲା ପଛରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ହାତ ରହିଛି ବୋଲି ଅଭିଯୋଗ ଆସିଛି । ସେହିପରି ଖୋର୍ଦ୍ଧାରେ ଗଣଦୁଷ୍କର୍ମ ପରେ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ପୀଡିତା । ବାଘମାରି ପୁଲିସ ଭୁବନେଶ୍ୱର ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିସାରିଛି । ଖୋର୍ଦ୍ଧାର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି | ଏହି ଘଟଣା ପରେ ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ ପିଡ଼ିତାଙ୍କୁ ଯାଇ ଭେଟିଛନ୍ତି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏସପି ଙ୍କୁ ଭେଟି ଅଭିଯୁକ୍ତଙ୍କ ଗିରଫ କରି ଦାବି କରିଛନ୍ତି। ଏହି ମାମଲାର ଖୋଳତାଳରେ ଲାଗିପଡ଼ିଛି ଖୋର୍ଦ୍ଧାର ପୋଲିସ ପ୍ରଶାସନ |
ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି। ସିସିଟିଭି ଯାଞ୍ଚ୍ ସହ ତଥ୍ୟ, ପ୍ରମାଣକୁ ଏକାଠି କରି ୬ ଜଣଙ୍କୁ ଅଟକ ରଖାଯାଇଛି । ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ପୁରା ଘଟଣା ଉପରୁ ପର୍ଦା ହଟିବ। ଏଥିସହ ସମ୍ବଲପୁର ଜିଲ୍ଲା ବାମରା ଆଦିବାସୀ ହଷ୍ଟେଲରୁ ୩ ଜଣ ଛାତ୍ରୀ ନିଖୋଜ ଘଟଣା। ୧୨ ଘଣ୍ଟା ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି । ବିଭିନ୍ନ ଦିଗକୁ ନେଇ ବାମରା ପୋଲିସ ତଦନ୍ତ କରୁଛି। ରାତି ତମାମ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ହଷ୍ଟେଲ ଯାଇ ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଛି । କିନ୍ତୁ କୌଣସି ସଫଳତା ପାଇନି ପୋଲିସ। ଗତକାଲି ଅପରାହ୍ନରେ ବାମରା ଆଦିବାସୀ ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

