କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଗଜପତି ଜିଲ୍ଲା ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଗଜପତିରେ ରାଲି ଓ ପ୍ରତିବାଦ
ପାରଳାଖେମୁଣ୍ଡି୨୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ସର୍ବଭାରତୀୟ ଟ୍ରେଡ ୟୁନିଅନମାନଙ୍କ ପକ୍ଷରୁ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ରାଲି ଓ ପ୍ରତିବାଦ ପାଳନ କରାଯାଇଛି. ଦିଲ୍ଲୀର ଐତିହାସିକ କୣଷକ ଆନ୍ଦୋଳନର ପଞ୍ଚମ ବାର୍ଷିକୀ ଉପଲକ୍ଷେ ଆଜିର ଦିନରେ ଦିଆଯାଇଥିବା ଏହି ଡାକରାରେ କୣଷକ ସଂଗଠନମାନେ ମୋଦି ସରକାର ସେମାନଙ୍କ ପ୍ରତି କରିଥିବା ପ୍ରତାରଣାର ଉଲ୍ଲେଖ କରିଥିଲେ । କୣଷକମାନଙ୍କ ଉତ୍ପାଦିତ ଫସଲକୁ ସର୍ବନିମ୍ନ ସହାୟକ ଦରରେ କିଣିବାକୁ ଆଇନଗତ ଗ୍ୟାରେଣ୍ଟି ଦେବାକୁ ଯେଉଁ ଦାବି ରହିଛି, ତାକୁ ଏଯାଏଁ ସରକାର ପୂରଣ କରିନାହାନ୍ତି ବୋଲି ଅଭିଯୋଗ କରାଯାଇଥିଲା । ଏହା ବ୍ୟତୀତ ବହୁରାଷ୍ଟ୍ରୀୟ ବିହନ କମ୍ପାନୀଙ୍କ ଲାଭ ପାଇଁ ପାରମ୍ପରିକ ବିହନର ବିକାକିଣା ଉପରେ କଟକଣା ଲଗାଇବାକୁ ଯେଉଁ ବିହନ ଅଧ୍ୟାଦେଶ ଆଣୁଛନ୍ତି, ତାକୁ ବି ବିରୋଧ କରିଥିଲେ । ଘରୋଇ ବିଦ୍ୟୁତ କମ୍ପାନୀଙ୍କ ଲୁଟକୁ ସହଜ କରିବା ପାଇଁ ପ୍ରସ୍ତାବିତ ବିଦ୍ୟୁତ ଅଧ୍ୟାଦେଶ ଓ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ମଧ୍ୟ ବିରୋଧ କରାଯାଇଥିଲା । ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମନ ଇଛା ଲୁଟ୍ କରିବାକୁ ମୋଦି ସରକାର ଯେଉଁ ତିନୋଟି ଶ୍ରମ କୋଡ୍ ଲାଗୁ କରିଛନ୍ତି, ତାହା ଶ୍ରମିକଙ୍କ ପାଇଁ ମୣତ୍ୟୁଘଣ୍ଟି ବୋଲି କୁହାଯାଇଥିଲା । ବ୍ରିଟଶ ସମୟରୁ ଶ୍ରମିକଙ୍କ ଲଗାତାର ସଂଘର୍ଷ ଫଳରେ ପ୍ରଣୀତ ହୋଇଥିବା ଛବିଶଟି ଶ୍ରମ ଆଇନକୁ ସମାପ୍ତ କରି ଯେଉଁ ଶ୍ରମକୋଡ୍ କରିଛନ୍ତି ତାହା ଆଗାମୀ ଦିନରେ ଶ୍ରମିକମାନଙ୍କୁ ଶ୍ରମ ଅଧିକାରରୁ ବଞ୍ଚିତ କରି ଗୋଲାମରେ ପରିଣତ କରିଦେବ ବୋଲି ଅଭିଯୋଗ କରାଯାଇଥିଲା ।ଏହି ଡାକରା ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାର ବିଭିନ୍ନ ଶ୍ରମିକ ଓ କୣଷକ ସଂଗଠନ ପକ୍ଷରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି କଲେଜ ଛକ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚଥିଲା । ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜିଲ୍ଲା ସମ୍ପାଦକ କେଦାର ଶବର, ଜିଲ୍ଲା କମିଟି ସଭ୍ୟ କାଡୁକା ଶବର, ଓଡିଶା କୣଷକ ସଭାର ଜିଲ୍ଲା ସଭାପତି ଦଣ୍ଡପାଣି ରଇତ, ଶ୍ରମିକ ନେତା ଏମ ବାଙ୍ଗାରୀ, ପି ମୁରଲି, କେ ବାଲକ୍ରିଷ୍ଣା ଓ ରୟତ କୁଲି ରୟତ ସଂଘର ନେତା ଆର୍ ଲୋକନାଥଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ମୋଦି ସରକାରଙ୍କ ଜନ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ଶେଷରେ ଏକ ପ୍ରତିନିଧି ଦଳ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।,

