Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦ ବାହାରେ ମହାପଞ୍ଚାୟତ, ଇଣ୍ଡିଆ ଗେଟରେ ମାର୍ଚ୍ଚ, ଆର ପାର ଲଢେଇ ପାଇଁ ପ୍ରସ୍ତୁତ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲଗାଇଥିବା ମହିଳା କୁସ୍ତିଯୋଦ୍ଧାମାନେ ଏବେ ଆର ପାର ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏ ପର୍ଯ୍ୟନ୍ତ ଜନ୍ତର ମନ୍ତରରେ ଧାରଣା ଦେଉଥିବା ମହିଳା ପହିଲମାନମାନେ ଏବଂ ବଜରଙ୍ଗ ପୁନିଆଙ୍କ ପରି ସାଥୀମାନେ ଆନ୍ଦୋଳନକୁ ବ୍ୟାପକ ସ୍ତରରେ ନେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ଆଗାମୀ କିଛି ଦିନ ହରିୟାଣାରେ ଏକ ବୈଠକ କରାଯିବ। ସଂସଦ ଭବନର ଉଦଘାଟନ ଦିନ ହିଁ ମହିଳା ମହାପଞ୍ଚାୟତର ଆୟୋଜନ କରାଯିବ। ଆଜି ରେସଲରମାନେ ଇଣ୍ଡିଆ ଗେଟରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବାକୁ ପ୍ରସ୍ତୁତି କରୁଛନ୍ତି।

ଏହାକୁ ନେଇ ଦିଲ୍ଲୀ ପୋଲିସର କହିବା କଥା ଏହି ସମ୍ବନ୍ଧରେ ଆମଠୁ କୌଣସି ଅନୁମତି ନିଆଯାଇ ନାହିଁ। ଆମେ ମଧ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରାକୁ ମନା କରିନୁ। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆମେ ପହିଲମାନଙ୍କ ସହ ଆଲୋଚନା କରୁଛୁ ଏବଂ ଏ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଇଣ୍ଡିଆ ଗେଟରେ ସୁରକ୍ଷା ବଢାଇ ଦିଆଯାଇଛି, ଯଦ୍ଵାରା କୌଣସି ପ୍ରକାରର ଆଇନ ଶୃଙ୍ଖଳା ପରିସ୍ଥିତି ନଉପୁଜେ। ଆନ୍ଦୋଳନକାରୀ ମହିଳା ପହିଲମାନ ଭିନେଶ ଫୋଗାଟ୍ କହିଛନ୍ତି, ଆମେ ମଙ୍ଗଳବାର ଇଣ୍ଡିଆ ଗେଟରେ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋନ କରିବୁ। ଏହା ଆମ ଦେଶର ଯବାନମାନଙ୍କ ବଳିଦାନର ପ୍ରତୀକ। ଏହି ସ୍ମାରକରୁ ଆମେ ନିଜର ଆନ୍ଦୋଳନକୁ ଆହୁରି ଶାଣିତ କରିବୁ। ଯେଉଁ ଦିନ ସଂସଦର ନୂତନ ଭବନର ଉଦଘାଟନ କରାଯିବ ସେ ଦିନ ସଂସଦ ବାହାରେ ମହାପଞ୍ଚାୟତ ବସିବ।

ଅନ୍ୟପଟେ ଉତ୍ତର ପ୍ରଦେଶର କୈସରଗଞ୍ଜ ଲୋକସଭା ସାଂସଦ ବ୍ରିଜଭୂଷଣ ଶରଣ ସିଂହ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରିଛନ୍ତି। ସେ ଅଯୋଧ୍ୟାରେ ଜୁନ ୫ରେ ଏକ ରାଲି କରିବାକୁ ଆୟୋଜନ କରିଛନ୍ତି। ଅଯୋଧ୍ୟା ରାମ କଥା ପାର୍କରେ ସେ ଜନ ଚେତନା ମହାରାଲିକୁ ସମ୍ବୋଧିତ କରିବେ। ସେ ଅନେକ ରାଜ୍ୟର ଆଇନ ବିଶେଷଜ୍ଞ, ସାଧୁ ସନ୍ଥ, ଶିକ୍ଷାବିତ୍ ଏବଂ ସମାଜସେବୀଙ୍କୁ ନିମନ୍ତ୍ରିତ କରିଛନ୍ତି। ଯୌନ ଉତ୍ପୀଡ଼ନ ମାମଲାରେ ଏଫଆଇଆର ରୁଜୁ ହେବା ପରଠୁ ବ୍ରିଜଭୂଷଣ ରାଜନୈତିକ ଆୟୋଜନଠୁ ଦୂରରେ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ