ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ଵାଲ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ କ୍ଷମତା ପରିଧିକୁ ନେଇ ଲଢେଇ ଜାରି ରହିଛି। ନିକଟରେ ସୁପ୍ରିମକୋର୍ଟ ପ୍ରଶାସନିକ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରେ ନିଷ୍ପତ୍ତି ଦେଇଥିଲେ। ଏହାପରେ ଦିଲ୍ଲୀରେ ସେବା ଉପରେ ନିଜର ଅଧିକାର କାଏମ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧ୍ୟାଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଅଧ୍ୟାଦେଶ ବିରୋଧରେ ଏବେ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ରାମଲୀଲା ମଇଦାନରେ ଜୁନ ୧୧ରେ ମହାରାଲିର ଆୟୋଜନ କରିବ। ଏହା ପୂର୍ବରୁ ପାର୍ଟି ପକ୍ଷରୁ ଦିଲ୍ଲୀରେ ଡୋର ଟୁ ଡୋର ଅଭିଯାନ ଚଲାଯିବ। ଯାହା ଜରିଆରେ ଲୋକଙ୍କୁ ଅଧିକରୁ ଅଧିକ ଯୋଡ଼ା ଯାଇ ପାରିବ।
ଆପର ରାଜ୍ୟ ସଂଯୋଜକ ଗୋପାଳ ରାୟ ଜନତାଙ୍କୁ ଜୁନ ୧୧ରେ ବ୍ୟାପକ ସଂଖ୍ୟାରେ ସାମିଲ୍ ହେବାକୁ ଅପିଲ୍ କରିଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କ ଅଧିକାର ହଡ଼ପ କରୁଥିବା ସେ ଅଭିଯୋଗ କରିଛନ୍ତି। ରାୟ କହିଛନ୍ତି, ସୁପ୍ରିମକୋର୍ଟ ଦିଲ୍ଲୀବାସୀଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଐତିହାସିକ ରାୟ ଦେଇଥିଲେ। ହେଲେ କେନ୍ଦ୍ରର ମୋଦୀ ସରକାର ନ୍ୟାୟାଳୟର ଆଦେଶର ଅବମାନନା କରି ନିଜ ଶକ୍ତିର ଦୁରୁପଯୋଗ କରି ଅଧ୍ୟାଦେଶ ଆଣିଛନ୍ତି।
ଆପ୍ ନେତା କହିଛନ୍ତି, ଯଦି ଭାରତର ରାଜଧାନୀରେ ଗଣତନ୍ତ୍ରର ହତ୍ୟା କରାଯିବ ତେବେ ଆମ ସମସ୍ତଙ୍କୁ ଏକାଠି ଛିଡ଼ା ହେବାକୁ ପଡ଼ିବ। ଆମେ ଦିଲ୍ଲୀବାସୀଙ୍କୁ ଅପିଲ୍ କରୁଛୁ ଯେ,ଯେଉଁମାନେ ଦେଶର ସମ୍ବିଧାନରେ ଭରସା କରନ୍ତି ସମସ୍ତେ ଜୁନ ୧୧ରେ ରାମଲୀଲା ମଇଦାନରେ ପହଞ୍ଚନ୍ତୁ। କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ବିରୋଧରେ ମୋ ସହିତ ସ୍ଵର ଉଠାନ୍ତୁ।
ଏହା ପୂର୍ବରୁ ନିକଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କୁ ଭେଟିଥିଲେ। ଏଥିସହ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡ଼ିକୁ ସମର୍ଥନ ମାଗିଥିଲେ।