କୋରାପୁଟରେ ଆନ୍ଧ୍ରର ଦାଦାଗିରି ; ଓଡ଼ିଆରେ ଲେଖାଥିବା ନାମ ଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ
କୋରାପୁଟ: ପୁଣି ନାଲି ଆଖି ଦେଖାଉଛି ଆନ୍ଧ୍ର, କୋରାପୁଟରେ ଚାଲିଛି ଦାଦାଗିରି। ଓଡ଼ିଆରେ ଲେଖାଥିବା ନାମଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କୋରାପୁଟ କୋଟିଆ ଅଞ୍ଚଳରେ।
ଚଳିତ ମାସ ଆରମ୍ଭରୁ ପଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ନାମ ଫଳକ ଲଗାଯାଇଥିଲା। ସେହପରି ଫାଟୁସିନେରି ପଞ୍ଚାୟତର ଡୋଲିଆମ୍ବା, ଫଗୁଣସିନେରି, ଫାଟୁସିନେରି, ହରମାଣ୍ଡାଙ୍ଗି ଗାଁରେ ବି ଲାଗିଥିଲା ନାମ ଫଳକ। ହେଲେ ଆନ୍ଧ୍ରର କିଛି ଏଜେଣ୍ଟ ଗାଁ ଗୁଡିକରେ ବୈଠକ କରି ସବୁ ନାମ ଫଳକକୁ ଭାଙ୍ଗିଦେଇଥିବା ଜଣାପଡ଼ିଛି।
ତେବେ କୋଟିଆ ଥାନାର ଅଳ୍ପ ଦୂରରେ ଥିବା ହରମାଣ୍ଡାଙ୍ଗି ଛକର ନାମ ଫଳକ ବି ଭାଙ୍ଗି ଦିଆଯାଇଛି। ଯାହାକୁ ନେଇ ପୋଲିସ କେମିତି ଜାଣି ପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
ଏହା ପୂର୍ବରୁ ମଧ୍ୟ କୋଟିଆରେ ବାରମ୍ବାର ବାରଣ କରିବା ସତ୍ତ୍ୱେ ଗଳାବାଟ ଦେଇ ପଶିଆସୁଥିଲେ ଆନ୍ଧ୍ର ଅଧିକାରୀ । ପୁଣି କୋଟିଆର ତଳଗଞ୍ଜେଇ ପଦର ଗାଁରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେଉଥିଲେ । ସାଲୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଭ୍ୟାନ ତଳଗଞ୍ଜେଇ ପଦର ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା କରୁଥିଲା । ଘଟଣାସ୍ଥଳରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ କରିବା ସହିତ ତୁରନ୍ତ ଜାଗା ଛାଡି ଚାଲିଯିବା ପାଇଁ କହିଥିଲେ । ପରେ ଅଧାରୁ ସ୍ୱାସ୍ଥ୍ୟସେବା ବନ୍ଦ କରି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ ଫେରି ଯାଇଥିଲେ ।
ଏହି ଘଟଣାର କିଛିଦିନ ପୂର୍ବରୁ କୋଟିଆରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କରିଥିଲା ଆନ୍ଧ୍ର । ଆନ୍ଧ୍ରର ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ କିଣିବା ନିମନ୍ତେ ଲୋକଙ୍କୁ ସଚେତନ କରିଥିଲେ । କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୂର୍ବରୁ ଆନ୍ଧ୍ର କୋଟିଆର ସ୍ଥାନୀୟ ବାସିନ୍ଦାମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତାଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରୁଥିଲା କିନ୍ତୁ ଏବେ ଏହାର ଓଲଟା ହେଉଛି। ଲୋକଙ୍କୁ ନାଲି ଆଖି ଦେଖାଇବା ସହିତ ଓଡ଼ିଆରେ ଲେଖାଯାଇଥିବା ନାମଫଳକକୁ ହଟେଇ ଦେଇଛି | ତେବେ ଓଡିଶା ସରକାର ଏହିପରି ପରିସ୍ଥିତି ପାଇଁ କେଉଁ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଛି |

