ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି। ପ୍ରଧାନମନ୍ତ୍ରୀଙ୍କ ହାତରେ ଭବନର ଉଦଘାଟନକୁ ସମସ୍ତ ବିରୋଧୀ ଦଳ ନାପସନ୍ଦ କରିଛନ୍ତି। ଏହା ମଧ୍ୟରେ ନିମନ୍ତ୍ରଣ ପତ୍ରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନାମ ନଥିବାରୁ ପ୍ରଶ୍ନ ଉଠାଇଛି କଂଗ୍ରେସ। ଅନ୍ୟପଟେ ଉଦଘାଟନୀ ସମାରୋହକୁ ପାଖାପାଖି ୧୯ ବିରୋଧୀ ଦଳ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କଂଗ୍ରେସ ବି ସାମିଲ୍।
ରାଜ୍ୟସଭା ସାଂସଦ ବିବେକ ତନଖା ଟୁଇଟ୍ କରିଛନ୍ତି ଯେ, ରାଜ୍ୟସଭାର ସଦସ୍ୟ ହୋଇଥିବାରୁ ମୋତେ ମେ ୨୮ରେ ସଂସଦର ନୂତନ ଭନର ଉଦଘାଟନୀ ସମାରୋହକୁ ଆମନ୍ତ୍ରିତ କରାଯାଇଛି। ତେବେ ମୋର ଗୋଟିଏ ପ୍ରଶ୍ନ ରାଜ୍ୟସଭାର ଅଧ୍ୟକ୍ଷ ତଥା ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନାମ ନିମନ୍ତ୍ରଣ କାର୍ଡରେ ନାହିଁ। ସେ ଲେଖିଛନ୍ତି ଅନୁଚ୍ଛେଦ ୭୯ ଆଧାରରେ ସଂସଦ ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ନେଇ ଗଠିତ। ଏହି ଦୁଇ ସଦନର ଉଦଘାଟନ ହେଉଛି। ଅଥଚ ରାଜ୍ୟସଭା ଅଧ୍ୟକ୍ଷଙ୍କ ନାମ ନିମନ୍ତ୍ରଣ କାର୍ଡରେ ନାହିଁ।
ତନଖା ଲେଖିଛନ୍ତି, ସ୍ଵଭାବିକ କଥା ଯଦି ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି, ତେବେ ଉପରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରାଯାଇ ପାରିବ ନାହିଁ। ଦୟାକରି ସାମ୍ବିଧାନିକ ରାସ୍ତା ଚୟନ କରନ୍ତୁ। ଏମିତି ଅବସରରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ରହିବା ଜରୁରୀ ବୋଲି ସେ କହିଛନ୍ତି।
ବିରୋଧୀଦଳଗୁଡ଼ିକର କହିବା କଥା ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି କରିବା ଉଚିତ୍। ଏମିତି କାର୍ୟ୍ୟ କରି କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ଗରିମା କ୍ଷୁର୍ଣ୍ଣ କରୁଛନ୍ତି। ଫଳରେ କଂଗ୍ରେସ, ଆପ୍, ଉଦ୍ଧବ ଠାକରେଙ୍କ ଶିବସେନା, ଏନସିପି, ଆରଜେଡି, ଜେଡିୟୁ ସମେତ ୧୯ ବିରୋଧୀ ଦଳ ଉଦଘାଟନ ସମାରୋହକୁ ବହିଷ୍କାର କରିଛନ୍ତି।