Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ସଂସଦ ବାହାରେ ଆଜି ମହିଳାଙ୍କ ପଞ୍ଚାୟତ ପ୍ରସ୍ତୁତି, କୁସ୍ତିଯୋଦ୍ଧାଙ୍କ ମାର୍ଚ୍ଚ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫଦାରୀ ଦାବିରେ ଜନ୍ତର ମନ୍ତରରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଧାରଣା ଜାରି ରହିଛି। ଧାରଣାରେ ବସିଥିବା ପହିଲମାନ କିଛି ଦିନ ପୂର୍ବେ କହିଥିଲେ ଯେ, ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବେ ସେହି ଦିନ ସେଠାରେ ମହାପଞ୍ଚାୟତର ଆୟୋନ କରାଯିବ। ତେଣୁ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଆଜି ନୂତନ ସଂସଦ ଭବନ ସାମ୍ନାରେ ମହିଳା ମହାପଞ୍ଚାୟତ କରାଯିବାର ନିଷ୍ପତ୍ତି ନିଆଯାଇଛି।

ଟିକରୀ-ଗାଜିପୁର ବର୍ଡର ନିକଟରେ ବ୍ୟାରିକେଡ୍
ନୂତନ ସଂସଦ ଭବନ ଅଭିମୁଖେ ପହିଲମାନଙ୍କ ଶୋଭାଯାତ୍ରା ପୂର୍ବରୁ ପୋଲିସ ଟିକରୀ ବର୍ଡର, ଗାଜିପୁର ବର୍ଡର, ଆଇଟିଓ ରୋଡ୍ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ବ୍ୟାରିକେଡ୍ ଲଗାଇଛି। ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ସହ ଖାପ ପଞ୍ଚାୟତର ନେତା ଏବଂ କୃଷକମାନେ ସାମିଲ୍ ହୋଇ ପାରନ୍ତି।

ଡିସିପି ପୂର୍ବ ଦିଲ୍ଲୀ ଅମୃତା ଗୁଗୁଲୋତ କହିଛନ୍ତି, ଦିଲ୍ଲୀ ପୋଲିସ ଏମିତି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ଆମ ନିକଟରେ ପର୍ଯ୍ୟାପ୍ତ ଫୋର୍ସ ଅଛନ୍ତି। ଗତ ଥର କୃଷକଙ୍କ ପ୍ରଦର୍ଶନ କାରଣରୁ ମାସ ମାସ ଧରି ସୀମା ବନ୍ଦ ରହିଥିଲା। ଆମେ ନିଜର ପୋଲିସ ବଳକୁ ଆଜି ଦିଲ୍ଲୀ ବର୍ଡରରେ ସଜାଗ ରହିବାକୁ କହିଛୁ, ଯଦ୍ଵାରା ପୁନର୍ବାର ଏମିତି ମାହୋଲ ସୃଷ୍ଟି ନହୁଏ। ଆମେ ପ୍ରଦର୍ଶନକାରୀଙ୍କୁ ଫେରିଯିବା ପାଇଁ ମନାଇବୁ ବୋଲି ଡିସିପି ଅମୃତା କହିଛନ୍ତି।

ଦିଲ୍ଲୀ ପୋଲିସ ସ୍ଵତନ୍ତ୍ର ପୋଲିସ କମିଶନର(ଆଇନ ଏବଂ ବ୍ୟବସ୍ଥା) ଦୀପେନ୍ଦ୍ର ପାଠକ କହିଛନ୍ତି, ଆମେ ନିଜର ଆଥଲେଟମାନଙ୍କ ସମ୍ମାନ କରୁ। ହେଲେ ନୂତନ ସଂସଦ ଭବନର ଉଦଘାଟନ ଦିନରେ କୌଣସି ଗଡ଼ବଡ଼ ହେବାକୁ ଦେବୁନି। ଅନ୍ୟପଟେ ଦିଲ୍ଲୀ ପୋଲିସ ଆଜି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାହ୍ୟ ଦିଲ୍ଲୀରେ ଏକ ଏମସିଡି ସ୍କୁଲରେ ଅସ୍ଥାୟୀ ଜେଲ୍ ତିଆରି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ