କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜଗନ୍ନାଥ ପଡ଼ାର ଜଣେ ବ୍ୟବସାୟୀଙ୍କ ଘରେ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତ ଦଳ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ କେସିଙ୍ଗା ସହରର ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ଘରେ ତାଙ୍କ ସ୍ତ୍ରୀ, ଝିଅ, ନାତୁଣୀ ଓ ରୋଷେୟା ଶୋଇଥିବାବେଳେ ଘର ପାଚେରୀ ଡେଇଁ ଡକାୟତ ଦଳ ତାଲା ଭାଙ୍ଗି ଘରେ ପଶିବା ସହ ପରିବାର ଲୋକଙ୍କୁ ବାନ୍ଧି ଦେଇ ନଗଦ ୬ ଲକ୍ଷ ଟଙ୍କା ସମେତ ସୁନା, ରୂପା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଏ ସଂପର୍କରେ ସୂଚନା ପାଇବା ପରେ କେସିଙ୍ଗା ଥାନାଧିକାରୀ ସତ୍ୟ କୁମାର ନନ୍ଦଙ୍କ ନେତ୍ରୁତ୍ବରେ ପୁଲିସ ବାହିନୀ ସୋମବାର ବଡ଼ି ଭୋରରୁ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଇ ଡକାୟତ ଦଳ ହିନ୍ଦୀ ଓ ବିହାରୀ ଭାଷାରେ ନିଜ ନିଜ ଭିତରେ କଥା ହେଉଥିବାରୁ ଏଇ ଡକାୟତିରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ସଂପ୍ରୁକ୍ତ ଥିବା କୁହାଯାଉଛି । ତେବେ ସହରର କେନ୍ଦ୍ରସ୍ଥଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତିକୁ ପୁଲିସ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।