ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲା ଲାଞ୍ଜିଗଡ଼ ପ୍ରେସ କ୍ଳବ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ
କଳାହାଣ୍ଡି,୦୭/୦୫-ଆଜି ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଛି ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ କ୍ଳବ। ଲାଞ୍ଜିଗଡ଼ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଞ୍ଚଳର ୧୩ଗୋଟି ପଞ୍ଚାୟତ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ର କୋଠାକୁ ଶତାଧିକ ବର୍ଷ ବିତି ସାରିଛି। ଏହା ଏବେ ଭଙ୍ଗାଦଦରା ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଣ୍ଠୁଏ ପାଣି ଜମୁଛି। ସ୍ୱାସ୍ଥ୍ୟକେନ୍ଦ୍ର ନୂତନ କୋଠା ନିର୍ମାଣ ପାଇଁ ୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ଜାଗା ଚିହ୍ନଟ ହୋଇପାରୁନଥିବାରୁ ଏହା ଅଟକି ରହିଛି। ଷ୍ଟାଫ କ୍ୱାର୍ଟର ନଥିବାରୁ ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଶିକ୍ଷାଞ୍ଚଳ ଲାଞ୍ଜିଗଡରେ ଜାଗା ଚିହ୍ନଟ ସହିତ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ଓ ଷ୍ଟାଫ କ୍ୱାର୍ଟର ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୧୬ ଗୋଟି ପଞ୍ଚାୟତ ଲୋକେ ନିର୍ଭର କରୁଥିବାବେଳେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଅଲଟ୍ରାସାଉଣ୍ଡ ମେସିନ, ଦୁର୍ଘଟଣା ପ୍ରବଣ ଅଞ୍ଚଳ ହେତୁ ଏକ୍ସରେ ମେସିନ ସ୍ଥାପନ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ସମେତ ଭେଷଜ ବିଶେଷଜ୍ଞ ପଦବୀ ପୂରଣ, ଖାଲି ଥିବା ଚାରିଜଣ ଷ୍ଟାଫ ନର୍ସ, ଖାଲି ଥିବା ଦୁଇ ଜଣ ଫାର୍ମାସିଷ୍ଟ, ଦୁଇ ଜଣ ଲାବ ଟେକ୍ନିସିଆନ ପଦବୀ, ଖାଲି ଥିବା ୫ ଜଣ ପରିଦର୍ଶକ, ଜନସ୍ୱାସ୍ଥ୍ୟ ଅଧିକାରୀ ପଦବୀ ପୂରଣ, ଷ୍ଟାଫ କ୍ୱାର୍ଟର ନିର୍ମାଣର ଅତ୍ୟନ୍ତ ଆବଶ୍ୟକତା ରହିଛି। ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଏଚସି ମାନ୍ୟତା, ଷ୍ଟାଫ୍ କ୍ୱାର୍ଟର ନିର୍ମାଣ, ଲାଞ୍ଜିଗଡ ରୋଡ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଖାଲିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ, ନୂତନ ହସ୍ପିଟାଲ କୋଠା ନିର୍ମାଣ, ଷ୍ଟାଫ୍ କ୍ୱାର୍ଟର ନିର୍ମାଣ, ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ଥିବା ପଦବୀ ପୂରଣର ଆବଶ୍ୟକତା ରହିଛି। ବିଶ୍ଵନାଥପୁରଠାରେ ଏକ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣର ଆବଶ୍ୟକତା ରହିଛି। ଦୁଇଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ତିନୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିରାମୟ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇଦେବାର ଆବଶ୍ୟକତା ରହିଛି।ବ୍ଲକର ଘାଟି ଅଞ୍ଚଳରେ ଅଚଳ ହୋଇ ପଡିଥିବା ବାଇକ ଆମ୍ବୁଲାନ୍ସ ସଜାଡିବା ସହିତ ସ୍ୱତନ୍ତ୍ର ଭାବେ ଆଉ ଗୋଟିଏ ୧୧୨ ଆମ୍ବୁଲାନ୍ସ ଯୋଗାଇଦେବାର ଆବଶ୍ୟକତା ରହିଛି। ଏସବୁ ଦାବିନେଇ ପ୍ରେସ କ୍ଳବର କର୍ମକର୍ତ୍ତା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଉପଦେଷ୍ଟା କୈଳାସ ସାହୁ, ଉପସଭାପତି କ୍ଷମାନିଧି ମହାଖୁଡ଼, ସାଧାରଣ ସଂପାଦକ ଏମ. ଚନ୍ଦ୍ରଶେଖର, କୋଷାଧ୍ୟକ୍ଷ ପରେଶ ନାୟକ, ସଦସ୍ୟ ରମେଶ ଚନ୍ଦ୍ର ନାୟକ, ଦିଲୀପ ନାଏକ, ପ୍ରଭୁରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଗ୍ରହଣ ସହିତ ପ୍ରେସ କ୍ଳବର ଏହି ଦାବିଗୁଡ଼ିକ ଯଥାର୍ଥ ଓ ବର୍ଷକ ମଧ୍ୟରେ ବିଭାଗ ଏସବୁ ସମାଧାନ ପାଇଁ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

