କଳାହାଣ୍ଡିରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି : କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲା ବିକଶିତ କଳାହାଣ୍ଡି-ନୂଆପଡ଼ା ସଂଗଠନ
କଳାହାଣ୍ଡି, ୦୭/୦୬- ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏହାକୁ ଦୃଷ୍ଟିରେ ରଖି କେବିକେ ଅଞ୍ଚଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆଉ ତିନୋଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରିଛି ବିକଶିତ କଳାହାଣ୍ଡି-ନୂଆପଡ଼ା ନାମକ ଅଗ୍ରଣୀ ନାଗରିକ ସଂଗଠନ। କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ମଦନପୁର ରାମପୁର ଏବଂ ଥୁଆମୂଳ ରାମପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ସଂଗଠନର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ। ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତୀୟତା ଓ ଜାତୀୟ ଏକତାର ଭାବନାକୁ ପ୍ରୋତ୍ସାହିତ କରିବାରେ ଏହି ବିଦ୍ୟାଳୟ ସକ୍ଷମ ହେବ। ସେହିପରି ହିନ୍ଦୀ ଓ ଇଂରାଜୀ ଭଳି ଦ୍ୱିଭାଷୀ ମାଧ୍ୟମରେ ଶିକ୍ଷାଦାନ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପାଇଁ ପଥ ପ୍ରଶସ୍ତ କରିବ ବୋଲି ଡ. ନିଆଲ ଆଶାପୋଷଣ କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ଏକାଧିକ କେନ୍ଦ୍ରୀୟ ବିଦ୍ୟାଳୟ ରହିଥିବାବେଳେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ସେ ଦର୍ଶାଇବା ସହିତ ଶିକ୍ଷା ଓ ମାନବସମ୍ବଳ ବିକାଶ ଦିଗରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସଠିକ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ ବୋଲି ସେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କିତ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରେରଣ କରିଥିବା ଜଣାପଡିଛି। ଏହାସହିତ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ମାଳବିକା ଦେବୀଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି। ଅପରପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାବିପତ୍ର ଗ୍ରହଣ କରିବା ସହିତ ମନ୍ତ୍ରଣାଳୟ ଏହି ବିଷୟରେ ଅନୁଧ୍ୟାନ ପୂର୍ବକ ପଦକ୍ଷେପ ନେଉଥିବା ସୂଚନା ମିଳିଛି।

