ସବ-ଇନ୍ସପେକ୍ଟର ଭରତ ଚନ୍ଦ୍ର ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କଳାହାଣ୍ଡି,୧୨/୦୬-କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନାରେ ସେକେଣ୍ଡ ଅଫିସର ଭାବେ କାର୍ଯ୍ୟରତ ସବ- ଇନ୍ସପେକ୍ଟର ଭରତ ଚନ୍ଦ୍ର ମାଝୀଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଶ୍ୱନାଥପୁର ପୁଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସନ୍ଦୀପ କୁମାର ମାଝୀ ଯୋଗ ଦେଇଥିବାବେଳେ ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ଥାନାଧିକାରୀ ସେକେଣ୍ଡ ଅଫିସର ଡୋଳାମଣି ବିଶି, ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନୀ, କୋର୍ଟର ଏଏସଆଇ ନୀତିନ ଚତୁର୍ବେଦୀ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ମାଝୀ ମଧ୍ୟ ମଞ୍ଚାସୀନ ଥିଲେ। ସୂଚନାଯୋଗ୍ୟ, ଶ୍ରୀ ମାଝୀ ଗତ ୧୯୮୬ ମସିହା ଡିସେମ୍ବର ୯ ତାରିଖରେ କଳାହାଣ୍ଡି ଜିଲ୍ଲା ପୁଲିସରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ପରେ ଏଏସଆଇ ଭାବେ ପଦୋନ୍ନତି ପାଇ ରାୟଗଡ଼ା ଜିଲ୍ଲାରେ ଯୋଗ ଦେଇଥିଲେ। ସେହିପରି ରାୟଗଡା ଜିଲ୍ଲାରେ ଏସଆଇ ଭାବେ ପଦୋନ୍ନତି ପାଇବା ସହିତ ବିଭିନ୍ନ ଦୁର୍ଗମ ଅଞ୍ଚଳ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ସଫଳତାର ସହିତ କାର୍ଯ୍ୟ କରିଥିଲେ। ସେହିପରି ଗତବର୍ଷ ମେ ମାସରେ ସେ ବିଶ୍ୱନାଥପୁର ଥାନାରେ ସେକେଣ୍ଡ ଅଫିସର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଆସନ୍ତା ୩୦ ତାରିଖ ଦିନ ସେ ନିଜ କର୍ମମୟ ଜୀବନରୁ ଅବସର ନେବାକୁ ଯାଉଥିବାବେଳେ ଆଜି ତାଙ୍କୁ ବିଶ୍ୱନାଥପୁର ପୁଲିସ ପକ୍ଷରୁ ଏହି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନିଜ ୩୯ ବର୍ଷ ସାତ ମାସର ପୁଲିସ ଚାକିରୀ ମଧ୍ୟରେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହିତ ସାଧାରଣ ଜନତାଙ୍କ ମଧ୍ୟରେ ବେଶ ପ୍ରିୟଭାଜନ ହୋଇପାରିଥିଲେ। ଆଜିର କାର୍ଯ୍ୟକ୍ରମ ଅବସରରେ ଲାଞ୍ଜିଗଡ଼ ଏଏସଆଇ ବଳଭଦ୍ର ଗଉଡ଼, ବିଶ୍ୱନାଥପୁର ପୁଲିସ ପକ୍ଷରୁ ଏଏସଆଇ ପ୍ରବୀଣ ରଥ, ଅନୀଲ କୁମାର ବହିଦାର, ପୁଲିସ କର୍ମୀ ରାଧେଶ୍ୟାମ ମାଝୀ, ଭବାନୀ ସାହୁ, ଯତୀନ ସେନାପତି, ସ୍ନେହା ଭୋଇ, ୱାନେ ମାଝୀ, ଲୋଚନ ମାଝୀ, ଭକ୍ତ ଗରଡ଼ିଆ, ମନୋଜ ସାହୁ, ଚୂଡ଼ାମଣି ପାତ୍ର, ଅକ୍ଷୟ ଦୋରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

