ଟେଣ୍ଡର ପ୍ରକ୍ରିୟାରେ ସ୍ଵଛତା ନେଇ ପ୍ରଶ୍ନବାଚୀ : ଗ୍ରାମ୍ୟ ଉନ୍ନୟନ ବିଭାଗ ବିରୋଧରେ ଫେରାଦ ହେଲା କଳାହାଣ୍ଡି ଦଳିତ ଆଦିବାସୀ ମହାସଂଘ
କଳାହାଣ୍ଡି,୦୩/୦୭-କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆହୁତ ଟେଣ୍ଡର ପ୍ରକ୍ରିୟାକୁ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ବାରମ୍ବାର ଟେଣ୍ଡର ଆହ୍ୱାନ ଓ ବାତିଲ ସହିତ କୌଣସି ଖବରକାଗଜରେ ବିଜ୍ଞାପନ ସୁଦ୍ଧା ନଦେଇ ଟେଣ୍ଡର ପ୍ରକ୍ରିୟାକୁ ସାରିଦେବାକୁ ନେଇ ଜିଲ୍ଲା ବ୍ୟାପି ଦେଖାଦେଇଛି ଅସନ୍ତୋଷର ବାତାବରଣ। ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗର ମନମାନୀ ଯୋଗୁଁ ଜିଲ୍ଲାର ବହୁ ଯୋଗ୍ୟତା ସମ୍ପନ୍ନ ଓ ଇଞ୍ଜିନିୟର ଡିଗ୍ରୀଧାରୀ ଠିକାଦାର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାରୁ ବଂଚିତ ହୋଇଛନ୍ତି। ଅନଲାଇନ, ଅଫଲାଇନ ଉଭୟ ମାଧ୍ୟମରେ ଟେଣ୍ଡର ଆହ୍ୱାନ ସହିତ ଏଥିରେ ସଂପୂର୍ଣ୍ଣ ସ୍ୱଛତା ଅବଲମ୍ବନ କରିବା ତଥା ସମସ୍ତଙ୍କୁ ଭାଗ ନେବାକୁ ସୁଯୋଗ ଦେବାରେ ଫେଲ ମାରିଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ। ଯାହାକୁ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଟେଣ୍ଡର ଫିକ୍ସିଂ ସନ୍ଦେହ ବୃଦ୍ଧି ପାଇଛି। ଏହାକୁ ନେଇ କଳାହାଣ୍ଡି ଦଳିତ ଆଦିବାସୀ ମହାସଂଘ ପ୍ରଶ୍ନ ଉଠାଇବା ସହିତ ଆବଶ୍ୟକ ହେଲେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବାକୁ ଚେତାବନୀ ଦେଇଛି। ଏନେଇ ମହାସଂଘର ସଭାପତି ପରମାନନ୍ଦ ମାଝୀ, କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ, ମହାସଚିବ ଦେବୀ ପ୍ରସାଦ ସିନ୍ଦୁର, ଆଇନଜୀବୀ ସାମନ୍ତ ଖମାରୀ, ଆଇନଜୀବୀ ତ୍ରିଲୋଚନ ପାଣିଗ୍ରାହୀ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ଅର୍ଜୁନ ବେହେରାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହିତ ସଂପୂର୍ଣ୍ଣ ସ୍ଵଛ ଓ ନିରପେକ୍ଷତା ଅବଲମ୍ବନ କରି ଟେଣ୍ଡର ଆହ୍ୱାନ ଓ ଏହାର ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି। ବିଗତ ଦିନରେ ଏହି ବିଭାଗରେ ଟେଣ୍ଡର ଫିକ୍ସିଂ ଏକ ନିତିଦିନିଆ ପ୍ରସଙ୍ଗ ହୋଇଥିବାବେଳେ ଜିଲ୍ଲାବାସୀଙ୍କ ପକ୍ଷରୁ ଏସବୁକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ ଚେତାଇ ଦେଇଛନ୍ତି। ଏଣୁ ଏକ କୋହଳ ମାନଦଣ୍ଡ, ସ୍ଵଚ୍ଛ ଓ ମୁକ୍ତ ଟେଣ୍ଡର ଆହ୍ଵାନ ପାଇଁ ଅନ୍ତତଃ ଏକ ସପ୍ତାହ ସମୟ ସୀମା ବୃଦ୍ଧି କଲେ ଜିଲ୍ଲାରେ ବଞ୍ଚିତ ହୋଇଥିବା, ଯୋଗ୍ୟତାପ୍ରାପ୍ତ ଠିକାଦାର ଗଣ ନିଜ ଅଧିକାର ପାଇବାରେ ସଫଳ ହେବେ ବୋଲି ସେମାନେ ଦର୍ଶାଇଛନ୍ତି।ଅନ୍ୟଥା ଦଳିତ ଆଦିବାସୀ ମହାସଂଘ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

