ଜନ୍ମଦିନର ସରପ୍ରାଇଜ୍ ସାଜିଲା ଶେଷ ଯାତ୍ରା: ପରକୀୟା ସନ୍ଦେହରେ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ, ସ୍ତ୍ରୀ ଓ ପ୍ରେମିକଙ୍କ ଭୂମିକା ତଦନ୍ତରେ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ ହଠାତ୍ ଘରକୁ ଫେରିଥିବା ସ୍ୱାମୀଙ୍କୁ ପରକୀୟା ସମ୍ପର୍କକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣାଯାଇଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ , ମୃତକ ଜଣକ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଥିଲେ। ସେ କାମ ସୂତ୍ରରେ ବାହାରେ ରହୁଥିବାବେଳେ ତାଙ୍କ ପତ୍ନୀ ସହଦେବଖୁଣ୍ଟା ଅଞ୍ଚଳରେ ରହୁଥିଲେ। ସ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍ ଦେଇ ଖୁସି କରିବା ପାଇଁ ସ୍ୱାମୀ ହଠାତ୍ ଘରକୁ ଫେରିଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା | ଏହି ଘଟଣାରେ ପରିବାର ଲୋକ ତାଙ୍କ ସ୍ତ୍ରୀ ଓ ପ୍ରେମିକ ମିଳିତ ଭାବେ ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଖବର ପାଇ ସହଦେବଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ହତ୍ୟାକାଣ୍ଡ ଘଟଣା ବିଷୟରେ ଜାଣିବା ପାଇଁ ପୋଲିସ ବର୍ତ୍ତମାନ ଅଭିଯୁକ୍ତ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପରକୀୟା ସମ୍ପର୍କ ଏହି ହତ୍ୟାକାଣ୍ଡର ସମ୍ଭାବ୍ୟ କାରଣ ବୋଲି ସନ୍ଦେହ କରାଯାଉଛି କିନ୍ତୁ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

