ରଥରେ ଉପରୁ ଚୋରି;ଅଳଙ୍କାର ଲୁଟିବାକୁ ଆସି ନେଇଗଲେ ମହାପ୍ରଭୁଙ୍କ ମୂର୍ତ୍ତି!
ବରଗଡ଼: ବରଗଡ଼ ସହରର ହାଟପଦା ରଥପଡ଼ିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଅଳଙ୍କାର ଚୋରି ଉଦ୍ଦେଶ୍ୟରେ ଆସିଥିବା ଦୁର୍ବୃତ୍ତମାନେ ରଥରେ ଥିବା ପ୍ରାଚୀନ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଚୋରି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବରଗଡ଼ର ପ୍ରସିଦ୍ଧ ଏକାଦଶୀ ବାହୁଡ଼ା ଯାତ୍ରା ପରେ ବିଭିନ୍ନ ମନ୍ଦିରର ରଥଗୁଡ଼ିକ ହାଟପଦା ରଥପଡ଼ିଆରେ ରହିଥିଲା। ଦ୍ୱାଦଶୀରେ ରଥମେଳଣ ଏବଂ ତ୍ରୟୋଦଶୀରେ ରଥ ସ୍ବମନ୍ଦିରକୁ ଫେରିବାର ପରମ୍ପରା ରହିଛି। ଏହି ସମୟରେ କଲେଜ ରୋଡ଼ ରଥରେ ବିରାଜମାନ ଥିବା ପ୍ରାଚୀନ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିଖୋଜ ହୋଇଯାଇଥିବା ଦେଖି ପୂଜକ ଓ ସେବାୟତମାନେ ହତବାକ୍ ହୋଇଯାଇଥିଲେ। ବିଗ୍ରହ ନମିଳିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ଘଟଣାକୁ ନେଇ କଲେଜ ରୋଡ଼ ରାଧାକୃଷ୍ଣ ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ଦାଖଲ କରାଯାଇଛି। ବିଗ୍ରହ ଉଦ୍ଧାର ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

