ବିଶ୍ୱନାଥପୁରଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
କଳାହାଣ୍ଡି,୨୫/୦୮-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର ଯୋଗ ଦେଇଥିଲେ। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଏସ. ପି. ଶ୍ରବଣନ, ମାନସିକ ରୋଗ ବିଶେଷଜ୍ଞ ଡା. ଅନନ୍ତ ଚରଣ ମେହେର, ନାସା- କର୍ଣ୍ଣ ଓ ଗଳାରୋଗ ବିଶେଷଜ୍ଞ ଡା. ସନତ କୁମାର ଶତପଥି, ଚକ୍ଷୁରୋଗ ବିଶେଷଜ୍ଞ ଡା. ନିବେଦିତା ମହାରଣା, ଫିଜିଓଥେରାପି ବିଶେଷଜ୍ଞ ଡା.ପ୍ରଣବ କୁମାର ମେହେର, ଅଡିଓଲୋଜିଷ୍ଟ ଆରାଧନା ବେହୁରା, ଡା. ରାଜଶ୍ରୀ ପ୍ରିୟଦର୍ଶିନୀ, ଆନାୟତ ମହମ୍ମଦ, ନିବାସ ଚନ୍ଦ୍ର ସାହୁ, ନିବେଦିତା ସାହୁ, ଶେଷଦେବ ନାଏକ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ନାମ ପଞ୍ଜିକରଣ ପରେ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦେଇଥିଲେ। ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡା. ଭବାନୀଶଙ୍କର ଲେଙ୍କା, ଡା. ନରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୪୨ଜଣ ଶ୍ରବଣ ବାଧିତ, ୮୬ଜଣ ଅସ୍ଥିଶଲ୍ୟ, ଚକ୍ଷୁରୋଗ ୨୦ଜଣ, ୧୩ଜଣ ମାନସିକ ରୋଗ, ୧୦ ଆଣ୍ଠୁଗଣ୍ଠି ରୋଗୀ, ୬ ଜଣ ବଙ୍କାପାଦ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ସାଇଟସେଭର ଓ ଜୁନାଗଡ଼ ନେତ୍ରାଳୟ ଦ୍ୱାରା ୨୦ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଶିବିରରେ ମୋଟ ୨୩୯ଜଣଙ୍କ ପଞ୍ଜିକରଣ ହୋଇଥିଲା।ସେହିପରି ୧୦ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

