Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୨୩ରେ ବିରୋଧୀ ଏକତାଙ୍କ ପ୍ରଥମ ବୈଠକ, ଯୋଗ ଦେବେ ରାହୁଲ-ଖଡ଼ଗେ

ନୂଆଦିଲ୍ଲୀ: ବିଜେପି ବିରୋଧରେ ଦୃଢ ମେଣ୍ଟ ଗଠନ ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜୁନ ୨୩ରେ ବିରୋଧୀ ଦଳଗୁଡ଼ିକର ବୈଠକ ପାଟନାରେ ହେବାକୁ ଯାଉଛି। ଏଥିରେ ଯୋଗ ଦେବା ପାଇଁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ସହିତ ଅଧିକାଂଶ ନେତା ନିଜର ସହମତି ପ୍ରଦାନ କରିଛନ୍ତି। ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଏହାର ସୂଚନା ଦେଇଛନ୍ତି। ପ୍ରଥମେ ଏହି ବୈଠକ ଜୁନ ୧୨ରେ ହେବାର ଥିଲା। ଏହି ତାରିଖରେ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଦଳର ନେତାମାନଙ୍କୁ ଅସୁବିଧା ହେଉଥିଲା। ଏଥିପାଇଁ ଜୁନ ୨୩ରେ ବୈଠକ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେ କହିଛନ୍ତି, କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବୈଠକରେ ଯୋଗ ଦେବାକୁ ନିଜର ସହମତି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଉଦ୍ଧବ ଠାକରେ, ଏନସିପି ପ୍ରମୁଖ ଶରଦପାଓ୍ଵାର, ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ସିପିଆଇର ରାଷ୍ଟ୍ରୀୟ ସଂପାଦକ ଡି,ରାଜା, ସିପିଏମର ରାଷ୍ଟ୍ରୀୟ ସଂପାଦକ ସୀତାରାମ ୟେଚୁରୀ ଆଦି ଜୁନ ୨୩ର ବୈଠକରେ ଯୋଗ ଦେବାକୁ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସ କହିଥିଲା ଯେ, ପାଟନାରେ ହେବାକୁ ଥିବା ବିରୋଧୀଙ୍କ ମହା ବୈଠକରେ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଯୋଗ ଦେବାର ପ୍ରଶ୍ନ ଉଠୁନି। କୌଣସି କଂଗ୍ରେସଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ବୋଲି ପାର୍ଟି କହିଥିଲା। ଦଳର ଏମିତି ନିଷ୍ପତ୍ତି ନୀତୀଶ କୁମାରଙ୍କ ପାଇଁ ବଡ଼ ଝଟକା କୁହାଯାଉଥିଲା। କାରଣ ନୀତୀଶ ହିଁ ବିଜେପି ବିରୋଧରେ ଦଳଗୁଡ଼ିକୁ ଏକଜୁଟ୍ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।