ବାତ୍ୟା ଅର୍ଣ୍ଣବ ରେ ଅଘଟଣ, ରୋଷେଇ ଘର କାନ୍ଥ ଭୁଶୁଡି ମହିଳା ମୃତ
ଅସ୍ତରଙ୍ଗ : ପ୍ରଳୟକାରୀ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଘଟିଛି ଏକ ଦୁଃଖଦ ଅଘଟଣ। ରୋଷେଇ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇ ଜଣେ ୪୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ସରିପୁର ପଞ୍ଚାୟତର ଜେନାପୁର ଗ୍ରାମରେ ଘଟିଛି। ମୃତ ମହିଳା ହେଉଛନ୍ତି ଗ୍ରାମର ଲୋଭାବତି ମୁଦୁଲି। ଲୋଭବତୀ ଙ୍କ ତିନୋଟି କୁନି କୁନି ପିଲା। ସ୍ୱାମୀ ଦିନ ମଜୁରିଆ। ତାଙ୍କ ଅକାଳ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଅଞ୍ଚଳରେ ପ୍ରବଳ ବର୍ଷା ସହ ଜୋର୍ ପବନ ବହୁଥିଲା। ଏହି ସମୟରେ ଲୋଭାବତିଙ୍କ ଘର ପାଖରେ ଥିବା ଏକ ଗଛ ହଠାତ୍ ଭାଙ୍ଗି ରୋଷେଇ ଘର କାନ୍ଥ ଉପରେ ପଡ଼ିଥିଲା। ଫଳରେ ଇଟା ସିମେଣ୍ଟ କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ଲୋଭାବତି କାନ୍ଥ ତଳେ ଚାପି ହୋଇ ଗୁରୁତର ହୋଇଥିଲେ। ଘଟଣା ପରେ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚାରିଛକସ୍ଥିତ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ପହଞ୍ଚିବା ପରେ ଡାକ୍ତର ଲୋଭମତିଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ସନ୍ଧ୍ୟାରେ ସ୍ଥାନୀୟ ରାଜସ୍ୱ ପରିଦର୍ଶକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ରାଜସ୍ୱ ବିଭାଗର ନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ତୁରନ୍ତ ଅନୁକମ୍ପାମୂଳକ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

