ମନ ବୁଝିବା ପରି ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା; କଂଗ୍ରେସ ସତ୍ତାକୁ ଆସିଲେ ଲୋକଙ୍କୁ ମିଳିବ ଏହି ୬ଟି ସୁବିଧା


ଜବଲପୁର : କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଜବଲପୁରରୁ ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ ତାଙ୍କ ନିର୍ବାଚନୀ ସମ୍ବୋଧନରେ ଜନସାଧାରଣଙ୍କୁ ୬ ଟି ପ୍ରତିଶୃତି ଦେଇଛନ୍ତି। ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରୁଥିବାବେଳେ ପ୍ରିୟଙ୍କା ଗାନ୍ଧୀ ରାଜ୍ୟବାସୀଙ୍କୁ ୬ ଟି ପ୍ରତିଶୃତି ଦେଇଛନ୍ତି। ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର, ୧୦୦ ୟୁନିଟ୍ ଯାଏଁ ମାଗଣା ବିଦ୍ୟୁତ୍, ୫୦୦ରେ ଗ୍ୟାସ୍ ସିଲିଣ୍ଡର ଭଳି ଆଉ କିଛି ମାଗଣା ପ୍ରତିଶୃତି ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଯଦି ଜନତା କଂଗ୍ରେସକୁ ସମର୍ଥନ କରନ୍ତି ତେବେ ତାଙ୍କ ସରକାର କ୍ଷମତାକୁ ଆସିବା ମାତ୍ରେ ସମସ୍ତ ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ ହେବ। ରାଜସ୍ଥାନ ଓ ଛତିଶଗଡ ସହ ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । 

ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାରର ଉଦଘାଟନ କରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଲୋକଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦିଆଯିବ। ଏହା ବ୍ୟତୀତ, ୨୦୦ ୟୁନିଟ୍ ବ୍ୟବହାର ପର୍ଯ୍ୟନ୍ତ କେବଳ ଅଧା ଦେୟ ଆଦାୟ ହେବ। ବିଶେଷକରି ମହିଳା, ଯେଉଁମାନେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ହେଲେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ। ଏହା ସହିତ ସେ ମହିଳାମାନଙ୍କୁ ଆଉ ଏକ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବ, ଯାହାଫଳରେ ସେମାନେ ଆର୍ଥିକ ଆତ୍ମ ନିର୍ଭରଶୀଳ ହେବା ଦିଗରେ ପଦକ୍ଷେପ ନେଇପାରିବେ। ସେହପରି ପୁରୁଣା ପେନସନ୍ ଯୋଜନା ଲାଗୁ ହେବ ଏବଂ ଯେଉଁ ରାଜ୍ୟରେ କୃଷକ ଋଣ ଛାଡ ଯୋଜନା ପାଇଁ ଦାବି ହେଉଥିଲା ସେଠାରେ ଏହି ଯୋଜନାକୁ ଲାଗୁ କରାଯିବ ।