ପୁଣି ତେଜିଲା ମଣିପୁର ହିଂସା, ଶସ୍ତ୍ରାଗାରରେ ଭଙ୍ଗାରୁଜା କଲେ ୪୦୦ ଦଙ୍ଗାକାରୀ, ସୁରକ୍ଷାବଳ ଉପରେ ଗୁଳିମାଡ଼

ଇମ୍ଫାଲ: ପ୍ରାୟ ଦେଢ ମାସ ହେବ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ପୁଣି ଥରେ ହିଂସା ତେଜି ଉଠିଛି। ସ୍ଥିତି ସ୍ଵଭାବିକ ହେବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ବ୍ୟାନ୍ ଥିବା ବେଳେ ଧାରା ୧୪୪ ଲାଗୁ ହୋଇଛି। ଏହା ସତ୍ତ୍ଵେ ଉପଦ୍ରବୀ ହିଂସା ଘଟାଇବାକୁ ପଛଘୁଞ୍ଚ ଦେଉ ନାହାନ୍ତି। ସଦ୍ୟତମ ଘଟଣାରେ ୪୦୦ ଦଙ୍ଗାକାରୀ ଶସ୍ତ୍ରାଗାରରେ ଭଙ୍ଗାରୁଜା କରିବା ସହ ପୋଲିସ ଥାନାରେ ଲୁଟପାଟ କରିବାକୁ ଉଦ୍ୟମ କରିଛନ୍ତି। ସୁରକ୍ଷାବଳଙ୍କ ଉପରେ ଗୁଳିମାଡ଼ କରିଛନ୍ତି। କେବଳ ଏତିକି ନୁହେଁ ହିଂସାଗ୍ରସ୍ତ ଅଞ୍ଚଳରେ ବିଜେପି ନେତାଙ୍କ ଘରଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି। ଉପଦ୍ରବୀଙ୍କ ଉପରେ ଅଙ୍କୁଶ ଲଗାଇବା ଏବଂ ସ୍ଥିତି ନିୟନ୍ତ୍ରଣ ପାଇଁ ଆସାମ ରାଇଫଲ୍ସ, ରାପିଡ୍ ଆକ୍ସନ ଫୋର୍ସ ଏବଂ ରାଜ୍ୟ ପୋଲିସ ମିଶି କି କାମ କରୁଥିବା ମଣିପୁର ପୋଲିସ କହିଛି।
ପୋଲିସ ଏବଂ ସେନାର ଖବର ଅନୁଯାୟୀ, ହିଂସାଗ୍ରସ୍ତ ମଣିପୁରର ବିଷ୍ଣୁପୁର ଜିଲ୍ଲାର କ୍ଵାକଟା ଏବଂ ଚୁରାଚାନ୍ଦପୁର ଜିଲ୍ଲାର କଙ୍ଗବଇରେ ଗତକାଲି ରାତିରେ ସ୍ଵଂୟଚାଳିତ ହତିଆରରେ ଗୁଳିମାଡ଼ କରାଯାଇଛି। ଆଜି ସକାଳ ପର୍ଯ୍ୟନ୍ତ ରହି ରହି ଗୁଳି ବିନିମୟ ଜାରି ରହିଛି। ଆଡଭାନ୍ସ ହସ୍ପିଟାଲ୍ ନିକଟ ପ୍ୟାଲେସ୍ ପରିସରରେ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିବା କୁହାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୧୦୦୦ ଲୋକ ଏକଜୁଟ ହୋଇ ଭଙ୍ଗାରୁଜା ଏବଂ ଜଳାପୋଡ଼ା କରିବାକୁ ଉଦ୍ୟମ କରିଥିଲେ। ଯବାନମାନେ ଭିଡ଼କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ରବର ଗୁଳି ଚଳାଇଥିଲେ, ଯେଉଁଥିରେ ୨ ଜଣ ଆହତ ହୋଇଛନ୍ତି।
ମଣିପୁର ବିଶ୍ଵ ବିଦ୍ୟାଳୟ ନିକଟରେ ଭିଡ଼ ଜମିବା ସହ ଶୁକ୍ରବାର ରାତି ୧୦ଟା ୪୦ ମିନିଟରେ ଥୋଙ୍ଗଜୁ ସନ୍ନିକଟ ସ୍ଥାନୀୟ ବିଧାୟକଙ୍କ ଘରେ ଭଙ୍ଗାରୁଜା କରିବାକୁ ଉଦ୍ୟମ କରାଯାଇଛି। ଏହା ପରେ ସେନା କାର୍ଯ୍ୟାନୁଷ୍ଠାନ ନେଇ ଭିଡ଼କୁ ଘଉଡ଼ାଇଥିଲେ। ଏହା ପୂର୍ବରୁ ନିକଟରେ ହିଂସାକାଣ୍ଡରେ 9 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 10 ଜଣ ଆହତ ହୋଇଥିଲେ।