Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମର ଚିନ୍ତାଧାରା ଶାନ୍ତି, ହେଲେ ସବୁ ସ୍ଥିତି ପାଇଁ ପ୍ରସ୍ତୁତ; ଚୀନକୁ ପିଏମ ମୋଦୀଙ୍କ ସନ୍ଦେଶ

ନୂଆଦିଲ୍ଲୀ: ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ଵାଲ୍ ଷ୍ଟ୍ରୀଟ୍ ଜର୍ଣ୍ଣାଲକୁ ଦେଇଥିବା ସାକ୍ଷାତକାରରେ ଇସାରାରେ ଚୀନର ତାତ୍ସଲ୍ୟ କରିଛନ୍ତି। ପିଏମ ମୋଦୀ ଚୀନର ନାମ ଥରୁଟିଏ ନେଇଥିଲେ ହେଁ ଇସାରାରେ ବହୁତ କିଛି କହିଛନ୍ତି। ସେ କହିଛନ୍ତି ଚୀନ ସହିତ ଶାନ୍ତିପୂର୍ଣ୍ଣ ଦ୍ଵିପାକ୍ଷିକ ସମ୍ବନ୍ଧ ପାଇଁ ପ୍ରଥମେ ଜରୁରୀ ସୀମାରେ ଶାନ୍ତି ଏବଂ ସ୍ଥିତାବସ୍ଥା ବଜାୟ ରଖିବା। ମୋର ବିଶ୍ଵାସ ଯେ ପରସ୍ପର ଦେଶ ସାର୍ବଭୌମତ୍ଵ ଏବଂ ଅଖଣ୍ଡତାକୁ ସମ୍ମାନ କରିବେ। କୌଣସି ପ୍ରକାରର ମତଭେଦ ଏବଂ ବିବାଦ ଉପରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆଲୋଚନା କରାଯାଉ। ଏଥିସହ ଭାରତ ନିଜ ସୁରକ୍ଷା ଏବଂ ସାର୍ବଭୌମତ୍ଵ ଓ ଗାରିମା କାଏମ ରଖିବା ପାଇଁ କୌଣସି ବି ସ୍ତରକୁ ଯିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପିଏମ ମୋଦୀ କହିଛନ୍ତି, ସମସ୍ତ ଦେଶକୁ ଅନ୍ତର୍ଜାତୀୟ ନିୟମର ପାଳନ କରିବା ଉଚିତ୍। କୌଣସି ପ୍ରକାରର ବିବାଦକୁ କୂଟନୈତିକ ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ। କୌଣସି ପ୍ରକାରର ବିବାଦର ସମାଧାନ ଯୁଦ୍ଧରେ ହୋଇ ପାରିବ ନାହିଁ। ଆମେରିକା ସହିତ ଭାରତର ସଂପର୍କକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ଦେଶର ନେତାଙ୍କ ମଧ୍ୟରେ ପ୍ରଗାଢ ଭରସା ରହିଛି। ଭାରତ ସଂପ୍ରତି ଦୁନିଆରେ ବଡ଼ ଦାୟିତ୍ଵ ନିର୍ବାହ କରିବାକୁ ପ୍ରସ୍ତୁତ। ଏଥିପାଇଁ ଆମକୁ ସୁଯୋଗ ମିଳିବା ଉଚିତ୍। ଭାରତ ଏପରି ଏକ ଦେଶ ଯିଏ ଅନ୍ୟ କାହାକୁ ପଛକୁ ଠେଲି ନିଜେ ଆଗକୁ ବଢିବାକୁ ଚାହେଁ ନାହିଁ। ଆମେ ସହଅସ୍ଥିତ୍ଵ ଭାବନାକୁ ବିଶ୍ଵାସ କରୁ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦୁନିଆକୁ ଶାନ୍ତିର ସନ୍ଦେଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି କିଛି ଲୋକ କହୁଛନ୍ତି ଆମେ ନିରପେକ୍ଷ ଅଛୁ। କିନ୍ତୁ ଭାରତ ନିରବ ନୁହେଁ, ଆମେ ଗୋଟିଏ ପକ୍ଷରେ ଅଛୁ ଏବଂ ତାହା ହେଉଛି ଶାନ୍ତି। ପୂରା ଦୁନିଆକୁ ଭାରତ ଉପରେ ଭରସା ରହିଛି ଏବଂ ସେମାନେ ଜାଣିଛନ୍ତି ଯେ, ଭାରତର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଶାନ୍ତି। ଏଥିସହ ମୋଦୀ କହିଛନ୍ତି ଯେ, ଭାରତକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟତା ଦରକାର। ଦୁନିଆ ନିଜକୁ ପ୍ରଶ୍ନ କରିବା ଉଚିତ୍ ଯେ, କଣ ସେ ଭାରତକୁ ସଦସ୍ୟ ଭାବେ ଦେଖିବାକୁ ଚାହୁଁଛି କି ନାହିଁ ? ବିଶ୍ଵରେ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ନିଜ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।