ତିନି ରାଷ୍ଟ୍ରପତି କରି ସାରିଛନ୍ତି ସ୍ଵାଗତ, ଆମେରିକା ଗସ୍ତରେ ପିଏମ ମୋଦୀ କଲେ ରେକର୍ଡ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାର୍ଯ୍ୟକାଳରେ ତୃତୀୟ ଥର ଆମେରିକା ପହଞ୍ଚିଛନ୍ତି। ମଙ୍ଗଳବାର ରାତିରେ ସେ ନ୍ୟୁୟର୍କର ଜନ ଏଫ କେନେଡି ବିମାନ ବନ୍ଦରରେ ଓହ୍ଲାଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କର ଭବ୍ୟ ସ୍ଵାଗତ କରାଯାଇଛି। ଏଥର ପ୍ରଧାନମନ୍ତ୍ରୀ ମୋଦୀ ରାଜକୀୟ ଗସ୍ତରେ ଆମେରିକା ଯାତ୍ରା କରିଛନ୍ତି। ତାଙ୍କ ଯାତ୍ରାର ସବୁଠୁ ଖାସ୍ କଥା ଏହା ଯେ, ସେ ଆମେରିକାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।

ସ୍ଵାଧୀନତା ପରଠୁ ଅଦ୍ୟାବଧି ଭାରତର ସମସ୍ତ ପ୍ରଧାନମନ୍ତ୍ରୀ ୩୪ ଥର ଆମେରିକା ଗସ୍ତ କରି ସାରିଛନ୍ତି। ଏଥିରେ ପିଏମ ମୋଦୀଙ୍କ ସହିତ ୯ ପ୍ରଧାନମନ୍ତ୍ରୀଙ୍କ ନାମ ସାମିଲ୍। ପ୍ରଥମ ଥର ପଣ୍ଡିତ ଜବାହରଲାଲ ନେହେରୁ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୧୯୪୯ରେ ଆମେରିକା ଯାତ୍ରା କରିଥିଲେ। ସେହି ସମୟରେ ତତ୍କାଳୀନ ରାଷ୍ଟ୍ରପତି ହେରି ଏସ ଟ୍ରୁମେନ ତାଙ୍କର ସ୍ଵାଗତ କରିଥିଲେ। ଏହା ନେହେରୁଙ୍କ ଗୁଡଓ୍ଵିଲ୍ ଗସ୍ତ ଥିଲା।

ସେହି ସମୟରେ ସୋଭିଏତ ଋଷ ଏବଂ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। ଆଉ ଭାରତ ନିରପେକ୍ଷ ରହିବାକୁ ଉଚିତ୍ ମଣିଥିଲା। ଏହାର ୭ ବର୍ଷ ପରେ ପୁଣି ଥରେ ନେହେରୁ ଆମେରିକା ଗସ୍ତ କରିଥିଲେ। ସେତେବେଳେ ରାଷ୍ଟ୍ରପତି ଡି ଆଇଜନହାଓ୍ଵର ତାଙ୍କର ସ୍ଵାଗତ କରିଥିଲେ। ତୃତୀୟ ଥର ସେ ୧୯୬୧ରେ ୫ ଦିନିଆ ଆମେରିକା ଯାତ୍ରା କରିଥିଲେ। ସେହି ସମୟରେ ରାଷ୍ଟ୍ରପତି ଥିଲେ ଜନ ଏଫ କେନେଡି। ଉକ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।

ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ୩ ରାଷ୍ଟ୍ରପତି କରିଛନ୍ତି ସ୍ଵାଗତ
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ୩ ଅଲଗା ଅଲଗା ରାଷ୍ଟ୍ରପତି ସ୍ଵାଗତ କରିଛନ୍ତି। ୧୯୬୬ରେ ଯେବେ ସେ ଆମେରିକାରେ ପହଞ୍ଚିଲେ ରାଷ୍ଟ୍ରପତି ଲିଣ୍ଡନ ବି ଜନସନ ତାଙ୍କର ସ୍ଵାଗତ କରିଥିଲେ। ପିଏମ ଇନ୍ଦିରା ଗାନ୍ଧୀ ଖାଦ୍ୟାନ୍ନ ସହାୟତା ପାଇଁ ଆମେରିକା ଯାଇଥିଲେ। କାରଣ ଭାରତ ଭୀଷଣ ମରୁଡ଼ିର ସମ୍ମୁଖୀନ ହୋଇଥିଲା। ଆମେରିକା ଭାରତକୁ ନିରାଶ ନ କରି ସାହାଯ୍ୟ କରିଥିଲେ। ଏହା ପରେ ଇନ୍ଦିରା ୧୯୭୧ରେ ଦ୍ଵିତୀୟ ଥର ଆମେରିକା ଗସ୍ତ କରିଥିଲେ। ଆଉ ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିଲେ ରିଚାର୍ଡ ନିକ୍ସନ। ତୃତୀୟ ଥର ୧୯୮୨ରେ ଇନ୍ଦିରା ଆମେରିକା ଗସ୍ତ କରିଥିବା ବେଳେ ସେତେବେଳେ ରାଷ୍ଟ୍ରପତି ରୋନାଲ୍ଡ ରେଗନ ତାଙ୍କର ସ୍ଵାଗତ କରିଥିଲେ। ସେଠାରେ ତାଙ୍କୁ ୧୯ ତୋପୋ ସଲାମୀ ଦିଆଯାଇଥିଲା।

ଏହି ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ(୪ ଥର), ଡ. ମନମୋହନ ସିଂ(୮ ଥର) ଆମେରିକା ଯାତ୍ରା କରିଥିଲେ। ଏଥର ପିଏମ ମୋଦୀଙ୍କ ସ୍ଵାଗତ ଜୋ ବାଇଡେନ୍ କରୁଛନ୍ତି। ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବର ୨୧ରେ ପିଏମ ମୋଦୀଙ୍କ ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସ୍ଵାଗତ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ପ୍ରଥମ ଥର ୨୦୧୪ ସେପ୍ଟେମ୍ବର ୨୯ରେ ଆମେରିକା ଗସ୍ତ କରିଥିଲେ। ସେହି ସମୟରେ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କର ସ୍ଵାଗତ କରିଥିଲେ।