Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ହିଂସା ଉପରେ ଶାହା ଡକାଇଲେ ସର୍ବଦଳୀୟ ବୈଠକ, ସୋନିଆ କଲେ ଶାନ୍ତିର ଅପିଲ୍

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ହିଂସାଗ୍ରସ୍ତ ମଣିପୁରର ସ୍ଥିତି ଉପରେ ଆଲୋଚନା ପାଇଁ ଜୁନ ୨୪ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଗୁରୁବାର ଏହାର ସୂଚନା ଦେଇଛନ୍ତି। ବୈଠକ ଶନିବାର ଅପରାହ୍ନ ୩ଟାରେ ବସିବ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳ ଦୀର୍ଘ ସମୟରୁ ସର୍ବଦଳୀୟ ବୈଠକର ଦାବି କରି ଆସୁଥିଲେ। ଅନ୍ୟପଟେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶାନ୍ତିର ଅପିଲ୍ କରିଛନ୍ତି। ହିଂସା କାରଣରୁ ଏ ପର୍ଯ୍ୟନ୍ତ ୧୨୦ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୦୦୦ରୁ ଅଧିକ ଆହତ ହୋଇଛନ୍ତି।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ବୁଧବାର ସନ୍ଧ୍ୟାରେ ଗୃହ ମନ୍ତ୍ରୀଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି। ଶର୍ମା କିଛି ଦିନ ପୂର୍ବେ ଇମ୍ଫାଲ ଗସ୍ତ କରିଥିଲେ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ ଆଲୋଚନା କରିଥିଲେ। ଅମିତ୍ ଶାହା ମଧ୍ୟ ଗତ ମାସରେ ୪ ଦିନିଆ ମଣିପୁର ଗସ୍ତ କରିଥିଲେ। ରାଜ୍ୟରେ ଶାନ୍ତି ସ୍ଥାପନ ପାଇଁ ନିଜ ଉଦ୍ୟମରେ ବିଭିନ୍ନ ବର୍ଗର ପ୍ରତିନିଧିଙ୍କୁ ଭେଟିଥିଲେ। ଏହା ପରେ ମଧ୍ୟ ସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିବାରେ ଲାଗିଛି।

ଏହା ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର ନେତା ସୋନିଆ ଗାନ୍ଧୀ କହିଛନ୍ତି, ଜାତିଗତ ହିଂସା କାରଣରୁ ମଣିପୁର ଗତ ୫୦ ଦିନ ହେବ ଜଳୁଛି। ମାତ୍ର ତାଙ୍କୁ ଭରସା ଯେ, ଲୋକେ ଖୁବ୍ ଶୀଘ୍ର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ପରମ୍ପରା ଆପଣାଇ ଶାନ୍ତି ଦିଗରେ ଆଗକୁ ବଢିବେ। ସୋନିଆ ଏକ ଭିଡିଓ ସନ୍ଦେଶରେ କହିଛନ୍ତି, ପ୍ରାୟ ୫୦ ଦିନରୁ ମଣିପୁର ଏକ ବଡ଼ ମାନବୀୟ ବିପତ୍ତିର ସାମ୍ନା କରୁଛି। ଅଦ୍ଭୁତପୂର୍ବ ହିଂସା ସାଧାରଣ ଜନଜୀବନକୁ ଧ୍ଵଂସ କରି ଦେଇଛି। ଏଥିରେ ହଜାର ହଜାର ପରିବାର ଉଜୁଡ଼ି ଯାଇଛି। ଏହା ଦେଶର ଅନ୍ତରଆତ୍ମାକୁ ଗଭୀର ଯନ୍ତ୍ରଣା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ