Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ୧୦% ମହଙ୍ଗା ହୋଇପାରେ ବିଜୁଳି, DERC ନୂତନ ଦରକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଜୁଳି ମହଙ୍ଗା ହୋଇପାରେ। ବିଜୁଳି ଯୋଗାଣକାରୀ କମ୍ପାନୀଗୁଡ଼ିକୁ ପାଓ୍ଵାର ପରଚେଜ୍ ଚୁକ୍ତି ଅନୁସାରେ ବିଜୁଳି କ୍ରୟ ଉପରେ ୧୦ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ଅର୍ଥାତ କମ୍ପାନୀ ଏବେ ଲାଇନ୍ ବିଲ୍ ବଢାଇ ପାରିବେ. ବିଜୁଳି ଯୋଗାଣକାରୀ କମ୍ପାନୀ ବିଏସଇଏସ ଏ ନେଇ ଡିଇଆରସିକୁ ଦରଖାସ୍ତ ଲେଖିଥିଲା। ହେଲେ ବିଜୁଳି ଶୁଳ୍କ ବଢିବ କି ନାହିଁ ତାର ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଦିଲ୍ଲୀରେ ବିଜୁଳିର ନୂତନ ଦର ସ୍ଥିର ପାଇଁ ପ୍ରକ୍ରିୟା ଜାରି ରହିଛି। ଜନତାଙ୍କ ପ୍ରସ୍ତାବ ପରେ ଏହା ଉପରେ ଆପ୍ ସରକାର ଅନ୍ତିମ ନିଷ୍ପତ୍ତି ନେବେ।

ତେବେ ଦିଲ୍ଲୀ ସରକାର କହିଛନ୍ତି, ବିଜୁଳି ଦର ବୃଦ୍ଧି ହେବାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବ ନାହିଁ। ଗରମ ଦିନରେ ବିଜୁଳି ଦାମ ବଢିଥାଏ। ପାଓ୍ଵାର ପରଚେଜ୍ ଏଗ୍ରୀମେଣ୍ଟ କଷ୍ଟ କାରଣରୁ ବିଜୁଳି ଦାମ ବଢିଛି। ବିଜୁଳି କମ୍ପାନୀଙ୍କ କହିବା କଥା ଏହା ଏକ ସାମାନ୍ୟ ପ୍ରକ୍ରିୟା। ପ୍ରାୟତଃ ପ୍ରତ୍ୟେକ ବର୍ଷ ବିଜୁଳି ଯୋଗାଣକାରୀ କମ୍ପାନୀମାନେ ବିଜୁଳି କ୍ରୟ ରାଜିନାମାରେ ଦର ବୃଦ୍ଧି ପ୍ରସ୍ତାବ ନେଇ ଡିଇଆରସିଠୁ ମଞ୍ଜୁରୀ ନେବାକୁ ପଡ଼ିଥାଏ। ଏଥର ଡିଇଆରସି ମଞ୍ଜୁରୀ ପ୍ରଦାନ କରିଛି। ତେଣୁ ଅନୁମାନ କରାଯାଉଛି ଯେ, ବିଜୁଳି ଦାମରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। କାରଣ ଏଥର ଭାର ବିଜୁଳି କମ୍ପାନୀଗୁଡ଼ିକୁ ଉଠାଇବାକୁ ପଡ଼ିଛି, ତେଣୁ ବିଜୁଳି ଉପଭୋକ୍ତାଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

ଉଲ୍ଲେଖନୀୟ ଗତ ବର୍ଷ ବିଜୁଳି କ୍ରୟ ରାଜିନାମା ଆଧାରରେ ଦର ବୃଦ୍ଧି ଘଟିଥିଲା। କିନ୍ତୁ ସେହି ସମୟରେ ଦିଲ୍ଲୀ ସରକାର ଉପଭୋକ୍ତାଙ୍କ ଉପରେ ଏହାର ଭାର ଦେଇ ନ ଥିଲେ। ବିଜୁଳି କମ୍ପାନୀଗୁଡ଼ିକୁ ଏହାର ଭାର ବହନ କରିବାକୁ ପଡ଼ିଥିଲା। ଏଥର ମଧ୍ୟ ଏହା ଉପରେ ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାର ନେବେ।