Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌସୁମୀ ଅଧିବେଶନରେ ଆଗତ ହେବ ୟୁସିସି ବିଲ୍ ! ସଂସଦରେ ହେବ ଖୁବ୍ ହଙ୍ଗାମା

ନୂଆଦିଲ୍ଲୀ: ବିଧି ଆୟୋଗ ବିଗତ ଦିନରେ ସମାନ ନାଗରିକ ସଂହିତା(ୟୁସିସି ବା ୟୁନିଫର୍ମ ସିଭିଲ୍ କୋଡ୍)କୁ ନେଇ ଲୋକଙ୍କ ମତାମତ ଲୋଡ଼ିଥିଲେ। ଏଥିପାଇଁ ଗୋଟିଏ ମାସର ସମୟ ଦିଆଯାଇଛି, ଯାହା ଜୁଲାଇ ୧୪ରେ ସମାପ୍ତ ହେଉଛି। ତେବେଠୁ ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଚର୍ଚ୍ଚା ଖୁବ୍ ଚାଲିଥିଲା। ମାତ୍ର ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ତୃତ ସହ ଏହି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି। ଏହା ପରେ ମୁସଲିମ ସଙ୍ଗଠନ ସମେତ ସମାଜର ସମସ୍ତ ବର୍ଗରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଂଗ୍ରେସ, ସପା, ଡିଏମକେ ସମେତ ଅନେକ ବିରୋଧୀ ଦଳ ପ୍ରସ୍ତାବର ନିନ୍ଦା କରିଛନ୍ତି।

ଏଆଇଏମଆଇଏମ ପାର୍ଟିର ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ଵେସୀ କହିଛନ୍ତି ବିଜେପିକୁ ଏହା ଜଣାଇବା ଉଚିତ୍ ଯେ, କଣ ଆଦିବାସୀ ଏବଂ ଅନ୍ୟ ସମାଜର ଲୋକେ ସମାନ ନାଗରିକ ସଂହିତାକୁ ସ୍ଵୀକାର କରିବେ କି ନାହିଁ। କିନ୍ତୁ ବିଜେପି ଏହି ପ୍ରସଙ୍ଗରେ ପଛକୁ ହଟୁ ନ ଥିବା ଦେଖା ଦେଇଛି। ଖବର ଏହା ମଧ୍ୟ ରହିଛି ଯେ, ଚଳିତ ମୌସୁମୀ ଅଧିବେଶନରେ ସମାନ ନାଗରିକ ସଂହିତାକୁ ନେଇ ବିଧେୟକ ସଂସଦରେ ଉପସ୍ଥାପିତ ହୋଇପାରେ। ବିଧି ଆୟୋଗ ଜୁଲାଇ ୧୪ ସୁଦ୍ଧା ଲୋକଙ୍କଠୁ ୟୁନିଫର୍ମ ସିଭିଲ କୋଡକୁ ନେଇ ମତାମତା ମାଗିଛନ୍ତି। ଅନ୍ୟପଟେ ଜୁଲାଇ ତୃତୀୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ। ଏଥର ଅଧିବେଶନ ନୂତନ ସଂସଦ ଭବନରେ ଆୟୋଜିତ ହେବ। ନୂତନ ଭବନରେ ପ୍ରଥମ ଥର ସଂସଦର ଗୃହକାର୍ଯ୍ୟ ହେବ।

କୁହାଯାଉଛି ଜୁଲାଇ ୧୪ ସୁଦ୍ଧା ବିଧି ଆୟୋଗଙ୍କଠୁ ସମସ୍ତଙ୍କ ରାୟ ମିଳିଯିବ ଏବଂ ପୁଣି ଏହାରି ଆଧାରରେ ମୌସୁମୀ ଅଧିବେଶନରେ ୟୁସିସି ବିଧେୟକ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ସୂତ୍ର ଅନୁଯାୟୀ, ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସମାନ ନାଗରିକ ସଂହିତା ଉପରେ ଆଲୋଚନା ହୋଇଛି। ଯଦି ମୌସୁମୀ ଅଧିବେଶନରେ ଏହି ବିଧେୟକ ଆଗତ କରାଯାଏ ତେବେ ଗୃହକାର୍ଯ୍ୟ ବେଶ ହଙ୍ଗାମାରେ ପୂର୍ଣ୍ଣ ରହିବ। ଉଲ୍ଲେଖନୀୟ ପିଏମ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିଜେପିର ଜଣେ କର୍ମକର୍ତ୍ତାଙ୍କ ପ୍ରଶ୍ନ ଉପରେ ୟୁସିସିର ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ, ଗୋଟିଏ ଦେଶରେ ଦୁଇଟି ଆଇନ କେମିତି ଚାଲିବ।