Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୧୦ ଯାଏ ଚାଲିପାରେ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ସଂସଦୀୟ ମାମଲାର କ୍ୟାବିନେଟ୍ କମିଟି(ସିସିପିଏ)ର ବୈଠକ ଆଗାମୀ କିଛି ଦିନରେ ହେବାକୁ ଯାଉଛି। ବୈଠକରେ ନିଷ୍ପତ୍ତି ନିଆଯିବ ଯେ, କେଉଁ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିସିପିଏ ବୈଠକର ଅଧ୍ୟକ୍ଷତା କରିବେ।

ସୂତ୍ର ଅନୁଯାୟୀ, ୨୦୨୩ର ମୌସୁମୀ ଅଧିବେଶନ ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ ଏବଂ ଏହା ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି। ଗତ ବର୍ଷ ୨୦୨୨ରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମୌସୁମୀ ଅଧିବେଶନ ସଂସଦର ନୂତନ ଭବନରେ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୮ ତାରିଖରେ ସଂସଦର ନୂତନ ଭବନର ଉଦଘାଟନ କରିଥିଲେ।

ନୂତନ ସଂସଦ ଭବନରେ ସମସ୍ତ ମନ୍ତ୍ରୀଙ୍କୁ ଅଲଗା ଅଲଗା ଅଫିସ ମିଳିବ। ଏହା ପୂର୍ବରୁ ପୁରୁଣା ଭବନରେ କେବଳ ୩୦ କ୍ୟାବିନେଟ୍ ମନ୍ତ୍ରୀ ଏବଂ କିଛି ରାଷ୍ଟ୍ର ମନ୍ତ୍ରୀଙ୍କୁ ହିଁ ଅଫିସ୍ ମିଳିଥିଲା। ନୂତନ ସଂସଦ ଭବନରେ ଗୃହକାର୍ଯ୍ୟ ମଧ୍ୟ ଆରମ୍ଭ ହେବ। ତେବେ ସବୁଠୁ ବଡ଼ କଥା ଚଳିତ ମୌସୁମୀ ଅଧିବେଶନରେ ସମାନ ନାଗରିକ ସଂହିତା ଆଇନ ଉପରେ ବିଧେୟକ ଉପସ୍ଥାପିତ ହୋଇପାରେ। ଏମିତି ହେଲେ ମୌସୁମୀ ଅଧିବେଶନ ବେଶ ସରଗରମ ରହିବାର ଯଥେଷ୍ଟ ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ