Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UCC ଉପରେ କ’ଣ ରହିବ କଂଗ୍ରେସର ଆଭିମୁଖ୍ୟ ? ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବୈଠକ

ନୂଆଦିଲ୍ଲୀ: ଦେଶରେ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ବିତର୍କ ଜାରି ରହିଛି। ୟୁସିସିକୁ ଆମ୍ ଆଦମୀ ପାର୍ଟି(ଆପ୍) ଏବଂ ଶିବସେନା ସମର୍ଥନ ଜଣାଇଛନ୍ତି। ତେବେ ସଭିଙ୍କ ନଜର କଂଗ୍ରେସ ଉପରେ ରହିଛି। ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳ ୟୁସିସିକୁ ସମର୍ଥନ କରିବ କି ବିରୋଧ କରିବ ତାକୁ ନେଇ ଚର୍ଚ୍ଚା ଖୁବ୍ ଚାଲିଛି। ଏହି କ୍ରମରେ କଂଗ୍ରେସର ସଂସଦୀୟ କମିଟିର ବୈଠକ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଶନିବାର ୧୦ ଜନପଥରେ ସନ୍ଧ୍ୟା ୫ଟାରେ ବସିବାକୁ ଯାଉଛି।

ଅନ୍ୟପଟେ ୟୁସିସିକୁ ନେଇ କଂଗ୍ରେସ ଜୁଲାଇ ୩ରେ ନିଜର ନେତାମାନଙ୍କ ସହ ବୈଠକ କରିବାକୁ ଯାଉଛି। ସୂତ୍ର ଅନୁଯାୟୀ, ଆଜି ବସୁଥିବା ସଂସଦୀୟ ବୈଠକ ୟୁସିସିକୁ ନେଇ ଜୁଲାଇ ୩ରେ ହେବାକୁ ଥିବା ବୈଠକର ରୂପରେଖ ପ୍ରସ୍ତୁତ କରିବ। ସୂଚନାଯୋଗ୍ୟ, ଗତ ମାସରେ ବିଧି ଆୟୋଗ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ୟୁସିସି ଉପରେ ଜୁଲାଇ ୧୫ ସୁଦ୍ଧା ନିଜର ଲିଖିତ ମତାମତ ଦେବାକୁ କହିଛି। ଏହା ପରେ ନିକଟରେ ମଧ୍ୟ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦେଶରେ ଦୁଇଟି ଆଇନ କେମିତି ଚାଲିବ କହି ୟୁସିସି ଉପରେ ବଡ଼ ସଙ୍କେତ ଦେଇଥିଲେ।

ଆଗାମୀ ଦିନରେ ବିଜେପି ସମାନ ନାଗରିକ ସଂହିତାକୁ ନେଇ ବଡ଼ ପଦକ୍ଷେପ ନେଇପାରେ। ଏପରିକି ମୌସୁମୀ ଅଧିବେଶନରେ ୟୁସିସିର ଡ୍ରାଫ୍ଟ ସଂସଦରେ ଉପସ୍ଥାପିତ କରାଯାଇପାରେ। ଯଦି ଏମିତି ହୁଏ ତେବେ ମୌସୁମୀ ଅଧିବେଶନ ବେଶ ହଙ୍ଗାମାଦାର ହେବାର ସମ୍ଭାବନା ରହିଛି।