Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ହିଂସାରେ ସବିଶେଷ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ, ସରକାର କହିଲେ- ସ୍ଥିତି ସୁଧୁରୁଛି

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛି। କୋର୍ଟ ରାଜ୍ୟ ସକରାରଙ୍କୁ ହିଂସା ରୋକିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ତାର ସବିଶେଷ ତଥ୍ୟ ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟ ୩ଟି ବିନ୍ଦୁରେ ରାଜ୍ୟ ସରକାରଙ୍କଠୁ ଜବାବ ଲୋଡିଛନ୍ତି। କୋର୍ଟ ହିଂସା ସମୟରେ ବାସହୀନ ଲୋକଙ୍କ ପୁନର୍ବାସ ଏବଂ ସୁରକ୍ଷାବଳଙ୍କ ମୁତୟନ ସହ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ରିପୋର୍ଟ ମାଗିଛନ୍ତି।

ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ ତାରିଖ ଧାର୍ଯ୍ୟ କରିଛନ୍ତି। ଅନ୍ୟପଟେ ସରକାର କହିଛନ୍ତି ଯେ, ରାଜ୍ୟରେ ଧିରେ ଧିରେ ସ୍ଥିତି ସୁଧୁରିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ହାଜର ହୋଇଥିଲେ। ଉଲ୍ଲେଖନୀୟ ଗୋଟିଏ ଦିନ ପୂର୍ବେ କୁକି ସମୁଦାୟ ଜାତୀୟ ରାଜପଥ-୨ ଖୋଲି ଦେଇଛନ୍ତି। ଗତ ୨ ମାସ ହେବ ଏହି ହାଇଓ୍ଵେ ବନ୍ଦ ଥିଲା। ଯେଉଁ କାରଣରୁ ରାଜ୍ୟରେ ଜରୁରୀ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।

କୁକି ସମୁଦାୟର ଦୁଇ ଗୋଷ୍ଠୀ କହିଥିଲେ ଯେ, ଆମକୁ ଗୃହ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉପରେ ଭରସା ଅଛି ଯେ ରାଜ୍ୟରେ ଶାନ୍ତି ଫେରାଇ ଅଣାଯିବ। କିନ୍ତୁ କୁକି ସିଭିଲ ସୋସାଇଟି ସଂଗଠନ କମିଟି ଅନ ଟ୍ରାଇବଲ ୟୁନିଟି ଅଦ୍ୟାବଧି ଆନ୍ଦୋଳଣ ପ୍ରତ୍ୟାହାର ଘୋଷଣା କରି ନାହିଁ। ମଣିପୁରରେ ୨ଟି ଜାତୀୟ ରାଜପଥ ରହିଛି। ଇମ୍ଫାଲରୁ ଦୀମାପୁର ଏନଏଚ-୨ ଏବଂ ଇମ୍ଫାଲ-ଜିରିବମ ଏନଏଚ-୩। କୁକି ସଂଗଠନ ଏନଏଚ-୨କୁ ଅବରୋଧ କରି ରଖିଥିଲେ।

ଉଲ୍ଲେଖନୀୟ ଜାତିଆଣ ହିଂସା ଯୋଗୁଁ ମଣିପୁରରେ ଏ ପର୍ଯ୍ୟନ୍ତ ୧୨୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ପ୍ରାୟ ୫୦ ହଜାର ଲୋକ ବାସହୀନ ହୋଇ ପଡ଼ିଛନ୍ତି। ରିଲିଫ ଶିବିରରେ ହଜାର ହଜାର ଲୋକ ରହୁଛନ୍ତି। ରବିବାର ସକାଳେ ଘଟିଥିବା ହିଂସାରେ ମଧ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ସେନା ଏବଂ ଅର୍ଦ୍ଧସୈନିକ ବଳ ମୁତୟନ କରାଯାଇଛି।