କଳାହାଣ୍ଡି,୦୩/୦୭-ଆଜି ହେଉଛି ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ! ପ୍ଲାଷ୍ଟିକ୍ ଭଳି କ୍ଷତିକାରକ ଓ ମାଟିରେ ମିଶୁନଥିବା ବସ୍ତୁଠାରୁ ଦୂରେଇ ରହିବାକୁ ଅନ୍ତର୍ଜାତୀୟ ସ୍ତରରେ ସଚେତନତା ପାଇଁ ଏଇ ଦିବସର ପରିକଳ୍ପନା କରାଯାଇଥିବାବେଳେ ଆଜିର ଦିନରେ ମଧ୍ୟ ଲୋକେ ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର ବନ୍ଦ କରିନାହାନ୍ତି ! ସେହିପରି ଥରୁଟିଏ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟାଗ ବର୍ଜନ ପାଇଁ ସରକାରୀ ସ୍ତରରେ କଟକଣା ରହିଥିଲେ ହେଁ ଏହା ଧର୍ମକୁ ଆଖିଠାର ଭଳି ହୋଇଛି ! ଫଳରେ କଳାହାଣ୍ଡି ଭଳି ଜିଲ୍ଲାର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ବନ୍ଦ ହୋଇନାହିଁ ! ଏଇ ବେଆଇନ ବେପାରକୁ ଜିଲ୍ଲା ଓ ଜିଲ୍ଲା ବାହାରର ବ୍ୟବସାୟୀ ଓ ଉଦ୍ୟୋଗୀମାନେ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ଗାଁଗହଳିର ଛୋଟମୋଟ ଦୋକାନଗୁଡ଼ିକ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରର ପେଣ୍ଠସ୍ଥଳୀ ସାଜିଛି ! ଏପରିକି ଜିଲ୍ଲାର ଭବାନୀପାଟଣା ପୌର ପରିଷଦ, ଧର୍ମଗଡ଼, ଜୁନାଗଡ଼ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୋକାନବଜାରରେ ପ୍ଲାଷ୍ଟିକ୍ ବ୍ୟାଗର ବେଧଡ଼କ ବ୍ୟବହାର ହେଉଥିବାବେଳେ ନା ପ୍ରଶାସନ ନା ଜନସାଧାରଣ କେହି ବି ଏଦିଗରେ ସଚେତନ ନାହାନ୍ତି କହିଲେ ଚଳେ ! ଫଳରେ ପ୍ଲାଷ୍ଟିକ୍ ବ୍ୟାଗର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବ୍ରୁଦ୍ଧି ପାଇବା ସହିତ ଗାଈଗୋରୁ ଭଳି ଜୀବଜନ୍ତୁଙ୍କ ମ୍ରୁତ୍ୟୁର କାରଣ, ନଦୀନାଳର ଜଳସ୍ରୋତର ଅବରୋଧ କରିବା, ଜମିର ଉର୍ବରତା ନଷ୍ଟ କରିବା ଆଦିର କାରଣ ପାଲଟୁଛି ! ଏଣୁ ଆଜିର ଦିନରେ ଆମେ ସମସ୍ତେ ସଂକଳ୍ପ ନେବା ସହିତ ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାରକୁ ବର୍ଜନ କରିବାକୁ ଆଗେଇ ଆସିବା ଉଚିତ ! ଶାସନ, ପ୍ରଶାସନ ସ୍କୁଲ କଲେଜ ଭଳି ଶିକ୍ଷାନୁଷ୍ଠାନ ଓ ନାଗରିକ ଅନୁଷ୍ଠାନ ଏ ଦିଗରେ ଆଗେଇ ଆସନ୍ତେ ତେବେ ପ୍ଲାଷ୍ଟିକ୍ ବ୍ୟାଗ ବର୍ଜନ ଏକ ଆନ୍ଦୋଳନରେ ପରିଣତ ହୁଅନ୍ତା ଏଥିରେ ଦ୍ବିରୁକ୍ତି ନାହିଁ !