Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କକା ଶରଦ ପାଓ୍ଵାରଙ୍କ ପାଓ୍ଵାର ସମାପ୍ତ କରିବେ ଅଜିତ ! ‘ନାମ’ ଏବଂ ‘ଚିହ୍ନ’ ଛଡ଼ାଇବାକୁ ଚାଲିଛି ପ୍ରସ୍ତୁତି

ମୁମ୍ବାଇ: ବିଦ୍ରୋହ ପରେ ଏବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ଉପରେ ନିୟନ୍ତ୍ରଣ କରିବାରେ ଜୁଟି ଯାଇଛନ୍ତି। କୁହାଯାଉଛି ସେ ଖୁବ୍ ଶୀଘ୍ର ପାର୍ଟି ଚିହ୍ନ ଘଣ୍ଟା ଏବଂ ନାମ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ ହୋଇ ପାରନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଶିବସେନା ଭାବେ ମାନ୍ୟତା ହାସଲ ପାଇଁ ଏହି ପ୍ରକ୍ରିୟାର ପାଳନ କରିଥିଲେ।

ସୂଚନା ଅନୁଯାୟୀ, ତାଙ୍କ ସପକ୍ଷରେ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ଅଜିତ ପାଓ୍ଵାର। କିନ୍ତୁ ମାନ୍ୟତା ହାସଲ ପାଇଁ ତାଙ୍କୁ ନିର୍ବାଚନ ଆୟୋଗ ସମ୍ମୁଖରେ ସଂଖ୍ୟାବଳ ପ୍ରମାଣିତ କରିବାକୁ ପଡ଼ିବ। ଶିବସେନାର ନେତାଙ୍କ କହିବା କଥା ଯଦି ଅଜିତ ଏନସିପି ପାଇଁ ନିର୍ଵାଚନ ଆୟୋଗଙ୍କ ନିକଟକୁ ନ ଯିବେ ତେବେ କକା ଶରଦ ପାଓ୍ଵାରର ଗୋଷ୍ଠୀ ତାଙ୍କ ବିରୋଧରେ ପାର୍ଟିର ନାମ ଏବଂ ଚିହ୍ନ ବ୍ୟବହାର କରିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ପାରନ୍ତି।

ରାଜନୈତିକ ସମୀକ୍ଷକଙ୍କ ମତରେ ଅଜିତଙ୍କୁ ଏନସିପି ଭାବେ ମାନ୍ୟତା ଦେବାକୁ ଇସିଆଇଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଯଦି ଉପମୁଖ୍ୟମନ୍ତ୍ରୀ ଦାବି କରନ୍ତି ଯେ, ଏନସିପି ପାର୍ଟି ତାଙ୍କର ତେବେ ତାଙ୍କୁ ତ୍ରିସ୍ତରୀୟ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିବ। ଏହାରି ଆଧାରରେ ତାଙ୍କୁ ପାର୍ଟିର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଜଣାଇବାକୁ ପଡ଼ିବ। ଦଳର ସଦସ୍ୟତା ତାଲିକା ଦେବାକୁ ପଡ଼ିବ, ବିଧାୟକ ଏବଂ ସାଂସଦଙ୍କ ସଂଖ୍ୟା ଦେବାକୁ ହେବ। ଏଥିସହ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପାର୍ଟିକୁ ମିଳିଥିବା ଭୋଟର ତଥ୍ୟ ଦେବାକୁ ପଡ଼ିବ।

ରିପୋର୍ଟ ଅନୁଯାୟୀ, ନିର୍ବାଚନ ଆୟୋଗରେ ନାମ ଏବଂ ଚିହ୍ନ ହାସଲ ପାଇଁ ଅଜିତ ପାଓ୍ଵାରଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଶେଷ ସାହାଯ୍ୟ କରି ପାରନ୍ତି। କାରଣ ଗତବର୍ଷ ଏହି ପୂରା ପ୍ରକ୍ରିୟା ଦେଇ ଗତି କରିଥିଲେ ଏକନାଥ ସିନ୍ଦେ। ଏ ଦିଗରେ ତାଙ୍କର ବିଶେଷ ଅନୁଭବ ରହିଛି ଯାହା ଅଜିତ ପାଓ୍ଵାରଙ୍କ ପାଇଁ ବିଶେଷ ସହାୟକ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ