ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଦୁଇ ଗୋଷ୍ଠୀ ଅଜିତ ପାଓ୍ଵାର ଏବଂ ଶରଦ ପାଓ୍ଵାର ଗୋଷ୍ଠୀ ମଧ୍ୟରେ ଶକ୍ତି ପ୍ରଦର୍ଶନ ଏବଂ ମହାବୈଠକ ପରେ ଲଢେଇ ଏବେ ନିର୍ବାଚନ ଆୟୋଗ ନିକଟରେ ପହଞ୍ଚି ଯାଇଛି। ଅଜିତ ପାଓ୍ଵାରଙ୍କ ଗୋଷ୍ଠୀ ଆୟୋଗ ନିକଟରେ ଦାବି କରିଛନ୍ତି ଯେ, ତାଙ୍କ ପାର୍ଟିରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଏଥିପାଇଁ ପାର୍ଟି ନାମ ଏବଂ ନିର୍ବାଚନୀ ଚିହ୍ନ ତାଙ୍କୁ ପ୍ରଦାନ କରାଯାଉ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ୪୦ ବିଧାୟକ, ଏମଏଲସି ଏବଂ ସାଂସଦଙ୍କ ସମର୍ଥନ ଥିବା ଦାବି କରିଛନ୍ତି।
ଏହା ମଧ୍ୟରେ ଅଜିତ ପାଓ୍ଵାର ଗୋଷ୍ଠୀର ସମସ୍ତ ବିଧାୟକଙ୍କୁ ମୁମ୍ବାଇ ଏକ ହାଇପ୍ରୋଫାଇଲ୍ ହୋଟେଲରେ ରଖାଯାଇଛି। ଏହି ସବୁ ବିଧାୟକଙ୍କ ଦସ୍ତଖତ ଥିବା ଡ୍ରାଫ୍ଟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଜୁନ ୩୦ରେ ଅଜିତ ପାଓ୍ଵାରଙ୍କୁ ଏନସିପିର ଅଧ୍ୟକ୍ଷ ଭାବେ ନାମିତ କରାଯାଇଛି।
ଅନ୍ୟପକ୍ଷେ ଶରଦ ପାଓ୍ଵାର ଗୋଷ୍ଠୀ ମଧ୍ୟ ନିର୍ବାଚନ ଆୟୋଗରେ କେଭିଟ୍ ଯାଚିକା ଦାୟର କରିଛନ୍ତି। ମାମଲାରେ କୌଣସି ଆଦେଶ ଦେବା ପୂର୍ବରୁ ଆମ ପକ୍ଷ ଶୁଣାଯାଉ ବୋଲି ଅପିଲ୍ କରାଯାଇଛି। ଅଜିତ ପାଓ୍ଵାର ନିଜ ଦାବିରେ କିଛି ସମର୍ଥକ ବିଧାୟକଙ୍କ ଶପଥ ପତ୍ର ମଧ୍ୟ ଆୟୋଗଙ୍କୁ ଦେଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ଶରଦ ପାଓ୍ଵାର ସମର୍ଥକଙ୍କୁ କହିଛନ୍ତି ଯେ, ପାର୍ଟିର ନିର୍ବାଚନୀ ନିହ୍ନ ତାଙ୍କ ନିକଟରେ ରହିଛି।
ବୁଧବାର ମୁମ୍ବାଇର ଦୁଇ ଅଲଗା ଅଲଗା ସ୍ଥାନରେ ଦୁଇ ଗୋଷ୍ଠୀ ବୈଠକ ଡକାଇଥିଲେ। ଗୋଟିଏ ପଟେ ଅଜିତଙ୍କ ସମର୍ଥନରେ ୩୨ ବିଧାୟକ ବୈଠକରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଶରଦ ପାଓ୍ଵାରଙ୍କ ମିଟିଂରେ ୧୪ ବିଧାୟକ ଉପସ୍ଥିତ ଥିଲେ। ଏନସିପିର ମୋଟ୍ ବିଧାୟକ ସଂଖ୍ୟା ହେଉଛି ୫୩। ନମ୍ବର ଗେମରେ ପଛରେ ରହିବା ପରେ ଶରଦ ପାଓ୍ଵାର ନୂଆଦିଲ୍ଲୀରେ ପାର୍ଟି କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି। ଏଥିରେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ସାଂସଦ ସୁପ୍ରିୟା ସୁଲେ ମଧ୍ୟ ସାମିଲ୍।