ଅନୈତିକ ବ୍ୟବହାର ମଞ୍ଜୁର ନୁହେଁ…୩୮ କର୍ମଚାରୀଙ୍କୁ ଚାକିରିରୁ ବିଦା କଲା ଟାଟା ଷ୍ଟିଲ୍
 
        ନୂଆଦିଲ୍ଲୀ: ଟାଟା ଗ୍ରୁପର କମ୍ପାନୀ ଟାଟା ଷ୍ଟିଲ ୩୮ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହି କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି। ଅବଶିଷ୍ଟ ୩୫ ଜଣଙ୍କୁ ଅନୈତିକ ପ୍ରସଙ୍ଗରେ ବରଖାସ୍ତ କରାଯାଇଛି। ଏହି ସୂଚନା ଟାଟା ଷ୍ଟିଲର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ଦେଇଛନ୍ତି। ଟାଟା ଏହି ପଦକ୍ଷେପ ସେହି ସମୟରେ ଉଠାଇଛି, ଯେତେବେଳେ ଟାଟାର ଅନ୍ୟ ଏକ ପ୍ରମୁଖ କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସେସ୍(ଟିସିଏସ)ରେ ଜବ ସ୍କାମ କାରଣରୁ କିଛି କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଛି। ଏପରିକି ଟିସିଏସରେ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସୂଚନା ମୁତାବକ ଟାଟା ଷ୍ଟିଲକୁ ଗତ ବର୍ଷ ୮୭୫ ଅଭିଯୋଗ ମିଳିଥିଲା। ସେଥିରେ ୧୫୮ ହ୍ଵିସଲବ୍ଲୋଅର ଅଭିଯୋଗ ସଂପର୍କରେ ରହିଥିଲା। ୪୮ ଅଭିଯୋଗ ସୁରକ୍ଷା ସଂପର୍କିତ ଏବଂ ୬୬୯ ଏଚଆର କିମ୍ବା ଦୁର୍ବ୍ୟବହାର ସମ୍ବନ୍ଧିତ ରହିଥିଲା। ଏହି ସବୁ ଅଭିଯୋଗ ଟାଟା ଷ୍ଟିଲର ଭାରତ, ବିଦେଶରେ ଏହାର ସହାୟକ କମ୍ପାନୀରେ କରାଯାଇଛି।
କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଚନ୍ଦ୍ରଶେଖରନ କହିଛନ୍ତି, ଏହି ଅଭିଯୋଗ ମଧ୍ୟରୁ ୩୮ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଚାକିରିରୁ ବରଖାସ୍ତ କରାଯାଇଛି। ସେ କହିଛନ୍ତି ଏକ କମ୍ପାନୀ ହିସାବରେ ଆମେ ଗ୍ଲୋବାଲ ବେଞ୍ଚମାର୍କ ସ୍ଥିତିରେ ରହିଛୁ। ଆମକୁ କାର୍ଯ୍ୟାଳୟ ପରିସରରେ ଏମିତି ସଂସ୍କୃତିକୁ ପ୍ରୋତ୍ସାହନ ଦେବୁ ଯାହା ଶୂନ୍ୟ ସହନଶୀଳ ନୀତି ସହ କର୍ମଚାରୀ ଉପଯୋଗୀ ସକରାତ୍ମକ ମାହୋଲ ପ୍ରଦାନ କରୁଥିବ।

 
                        
 
                                 
                                 
                                 
                                 
                                