କେନ୍ଦ୍ରୀୟ ଅଧ୍ୟାଦେଶ ବିରୋଧରେ ଜୁଲାଇ ୧୦ରେ ଶୁଣାଣି କରିବେ ସୁପ୍ରିକୋର୍ଟ, ଦିଲ୍ଲୀ ସରକାରଙ୍କୁ ଆଶ୍ଵସ୍ତି


ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସେବା ଉପରେ ନିୟନ୍ତ୍ରଣ ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଣା ଯାଇଥିବା ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଲଢେଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ସରକାରଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତ ହେବା ସହ ଜୁଲାଇ ୧୦ରେ ଶୁଣାଣି ତାରିଖ ଧାର‌୍ୟ୍ୟ କରିଛନ୍ତି। ଏହା ଅରବିନ୍ଦ କେଜରିଓ୍ଵାଙ୍କ ଆମ୍ ଆଦମୀ ପାର୍ଟିକୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛି।

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ବିଚାରପତି ପିଏସ ନରସିମାହ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭିଙ୍କ ଦ୍ଵାରା ଆଗତ ଯାଚିକାକୁ ସ୍ଵୀକାର କରିଛନ୍ତି। ସିଙ୍ଗଭି କହିଛନ୍ତି, ଏହି ଯାଚିକା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରୁଛି। ଏହା ଉପରେ ଶୁଣାଣି ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଜୁଲାଇ ୧୦ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମେ ୧୧ରେ ସର୍ବସମ୍ମତିକ୍ରମେ ରାଜଧାନୀର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣ ଅଧିକାର ଦିଲ୍ଲୀ ସରକାରଙ୍କୁ ପ୍ରଦାନ କରିଥିଲେ। ପୋଲିସ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଜମି ମାମଲା ଉପରେ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠରେ ଜଷ୍ଟିସ ଏମ ଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ. ନରସିମାହ ଏହି ରାୟ ଦେଇଥିଲେ।

ଏହା ପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିକୁ ଓଲଟାଇ ଦେଇଥିଲେ, ଯେଉଁଥିରେ ଅଦାଲତ ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ପୋଷ୍ଟିଂ କରିବାର ଅଧିକାର ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଦେଇଥିଲେ। ଏପରିକି କେନ୍ଦ୍ର ସରକାର ସାମ୍ବିଧାନିକ ପୀଠର ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।