ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ଦେଶଦ୍ରୋହ ନୁହେଁ, FIR.. ରଦ୍ଦ କଲେ ହାଇକୋର୍ଟ


ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦକୁ ନେଇ ଏକ ମାମଲାରେ ବହୁ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ହାଇକୋର୍ଟ ଏକ ସ୍କୁଲ ପ୍ରବନ୍ଧନଙ୍କ ବିରୋଧରେ ରୁଜୁ ଦେଶଦ୍ରୋହ ମାମଲା ରଦ୍ଦ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରୟୋଗ କରାଯାଇଥିବା ଅପଶବ୍ଦ ଅପମାନଜନକ ଏବଂ ଦାୟିତ୍ଵହୀନ ଥିଲା। ମାତ୍ର ଏହାକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ। ଉଚ୍ଚ ନ୍ୟାୟାଳୟଙ୍କ କଲବୁର୍ଗୀ ପୀଠର ବିଚାରପତି ହେମନ୍ତ ଚନନ୍ଦଗୌଦାର ବିଦରର ନ୍ୟୁ ଟାଉନ ପୋଲିସରେ ସାହିନ ସ୍କୁଲର ପ୍ରବନ୍ଧନ ଦାୟିତ୍ଵରେ ଥିବା ଆଲାଉଦ୍ଦୀନ, ଅବଦୁଲ ଖାଲିକ, ମହମ୍ମଦ ବିଲାଲ ଇମାନଦାର ଏବଂ ମହମ୍ମଦ ମେହତାବଙ୍କ ବିରୋଧରେ ରୁଜୁ ମାମଲା ରଦ୍ଦ କରିଛନ୍ତି।

ଅଦାଲତ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଚପଲରେ ପିଟାଯାଉ ପରି ଅସଂସଦୀୟ ଶବ୍ଦ କେବଳ ଅପମାନଜନକ ନୁହେଁ ବରଂ ଦାୟିତ୍ଵହୀନତା। ସରକାରଙ୍କ ନୀତିର ରଚନାତ୍ମକ ସମାଲୋଚନାର ଅନୁମତି ରହିଛି। କିନ୍ତୁ ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କର ଏହି ପରି ଅପମାନ କରାଯାଇ ପାରିବ ନାହିଁ। ଅଦାଲତ କହିଛନ୍ତି, ପିଲାମାନେ ଯେଉଁ ନାଟକ ପରିବେଷଣ କରିଛନ୍ତି ସେଥିରେ ସରକାରଙ୍କ ଅନେକ ଆଇନର ସମାଲୋଚନା କରାଯାଇଛି ଏବଂ କୁହାଯାଇଛି ଯେ, ଯଦି ଏମିତି ଆଇନ ଲାଗୁ କରାଯାଏ ତେବେ ମୁସଲମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିପାରେ। ନାଟକର ପରିବେଷଣ ସ୍କୁଲ ପରିସର ଭିତରେ ହୋଇଥିଲା। ପିଲାମାନେ ଏମିତି ଅନେକ ଶବ୍ଦ ପ୍ରୟୋଗ କରିଥିଲେ ହେଁ ତାହା ଲୋକଙ୍କୁ ଉସୁକାଇବା ପାଇଁ ଉଦ୍ଦିଷ୍ଟ ନ ଥିଲା, କିମ୍ବା ସେ ଧରଣର ଶବ୍ଦରେ ହିଂସା ହେବାର ସମ୍ଭାବନା ବି ନାହିଁ।

ନ୍ୟାୟାଳୟ ନିଜ ନିଷ୍ପତ୍ତିରେ କହିଛନ୍ତି, ଏଥିପାଇଁ କଦାପି ଏହାର କଳ୍ପନା କରାଯାଇ ପାରିବ ନାହିଁ ଯେ, ଆବେଦନକାରୀ ନାଟକର ପରିବେଷଣ ସରକାରଙ୍କ ବିରୋଧରେ ଏବଂ ଲୋକଙ୍କୁ ଉସୁକାଇ ହିଂସା କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସ୍କୁଲର ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଛାତ୍ର-ଛାତ୍ରୀମାନେ ୨୦୨୦ ଜୁନ ୨୧ରେ ସଂଶୋଧିତ ନାଗରିକତା ଆଇନ ତଥା ଜାତୀୟ ନାଗରିକ ପଞ୍ଜୀକରଣ ବିରୋଧରେ ଏକ ନାଟକ କରିଥିଲେ। ଏହା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହାକୁ ଆଜି ହାଇକୋର୍ଟ ରଦ୍ଦ କରିଛନ୍ତି।