Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜଭୂଷଣ ଶରଣ ସିଂ ହାଜର ହୁଅ, ଯୌନ ଶୋଷଣ ମାମଲାରେ ଜୁଲାଇ ୧୮ରେ ତଲବ କଲେ କୋର୍ଟ

ନୂଆଦିଲ୍ଲୀ: କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ହାଜର ହେବାକୁ ନୋଟିସ୍ ଜାରି କରିଛି। ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲାରେ ଅଦାଲତ ଜୁଲାଇ ୧୮ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ଜୁଲାଇ ୧୮ ତାରିଖ ଧାର‌୍ୟ୍ୟ କରାଯାଇଛି। ବ୍ରିଜଭୂଷଣଙ୍କ ବ୍ୟତୀତ ବିନୋଦ ତୋମାରଙ୍କୁ ମଧ୍ୟ ଅଦାଲତରେ ହାଜର ହେବାକୁ କୁହାଯାଇଛି। ଏହା ପୂର୍ବରୁ ଚଳିତ ସପ୍ତାହରେ ଅଦାଲତ ପୀଡ଼ିତଙ୍କୁ ଦିଲ୍ଲୀ ପୋଲିସର ଫାଇଲ୍ ରିପୋର୍ଟ ଉପରେ ଜବାବ ମାଗିଥିଲେ।

ଅତିରିକ୍ତ ସେସନ ବିଚାରପତି ଛବି କପୁର ପୀଡ଼ିତା ଏବଂ ଅଭିଯୋଗକାରୀଙ୍କୁ କହିଥିଲେ ଯେ, ପୋଲିସ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଉପରେ ନିଜର ଜବାବ ଅଗଷ୍ଟ ୧ ପର୍ଯ୍ୟନ୍ତ ଦାଖଲ କରିବାକୁ ପଡ଼ିବ। ଦିଲ୍ଲୀ ପୋଲିସ ଜୁନ ୧୫ରେ ନିଜର ରିପୋର୍ଟ କୋର୍ଟରେ ଦାଖଲ କରିଥିଲା। ଏଥିରେ ବ୍ରିଜଭୂଷଣଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ରୁଜୁ ମାମଲାକୁ ଭିତ୍ତିହୀନ ଦର୍ଶାଯାଇଥିଲା। ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ରୁଜୁ ମାମଲାର କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ତାଙ୍କ ବିରୋଧରେ ୬ ମହିଳା ପହିଲମାନଙ୍କ ଯୌନ ଶୋଷଣ ଏବଂ ସେମାନଙ୍କର ପିଛା କରିବାର ପ୍ରମାଣ ରହିଛି। ପୋଲିସ ନାବାଳିକା ପହିଲମାନଙ୍କୁ ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସର ଚାର୍ଜସିଟରେ ମହିଳା ପହିଲମାନଙ୍କ ଦ୍ଵାରା ହୋଇଥିବା ୬ଟି ଅଭିଯୋଗରୁ ଅତି କମରେ ୪ଟିରେ ଫଟୋ ପ୍ରମାଣ ଏବଂ ଉତ୍ପୀଡ଼ନର ଅତି କମରେ ୩ଟି ମାମଲାରେ ଭିଡ଼ିଓ ଯୋଗାଡ଼ କରାଯାଇଥିବା ଉଲ୍ଲେଖ ରହିଥିଲା। ଦିଲ୍ଲୀ ପୋଲିସ ଗୁରୁବାର ୬ ମହିଳା ପହିଲମାନଙ୍କ କଥିତ ଯୌନ ଉତ୍ପୀଡ଼ନ, ଆକ୍ରମଣ କରିବା ଏବଂ ପିଛା କରିବା ଅଭିଯୋଗରେ ବ୍ରିଜଭୂଷଣଙ୍କ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା।