Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନ୍ଦରୀ ପାକିସ୍ତାନୀ ଏଜେଣ୍ଟ ଉପରେ ଫିଦା ହୋଇ ଯାଇଥିଲେ DRDO ବୈଜ୍ଞାନିକ, ଲିକ୍ କରିଥିଲେ ମିସାଇଲ୍ ଏବଂ ଗୁଇନ୍ଦା ତଥ୍ୟ

ନୂଆଦିଲ୍ଲୀ: ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର ପାକିସ୍ତାନୀ ଗୁପ୍ତଚରଙ୍କ ପ୍ରତି ଆକର୍ଷିତ ହୋଇ ଯାଇଥିଲେ। ସେ ଜାରା ଦାସଗୁପ୍ତା ନାମକ ଏକ ଏଜେଣ୍ଟ ସହ ଅନେକ ଗୁଇନ୍ଦା ସୂଚନା ବିଷୟରେ ଆଲୋଚନା କରିଥିଲେ। ଏଥିରେ ଗୁଇନ୍ଦା ପ୍ରତିରକ୍ଷା ପ୍ରକଳ୍ପ ବ୍ୟତୀତ ଭାରତୀୟ ମିସାଇଲ୍ ସିଷ୍ଟମ ବିଷୟରେ ଆଲୋଚନା ସାମିଲ୍ ରହିଛି। ମହାରାଷ୍ଟ୍ର ପୋଲିସର ଆତଙ୍କବାଦ ନିରୋଧକ ଦଳ(ଏଟିଏସ) ଗତ ପସ୍ତାହରେ କୋର୍ଟରେ କୁରୁଲକରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। କୁରୁଲକର ପୁଣେରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଏକ ପ୍ରୟୋଗଶାଳାର ନିର୍ଦ୍ଦେଶକ ଥିଲେ।

ବୈଜ୍ଞାନିକଙ୍କୁ ଶାସକୀୟ ଗୋପନୀୟତା ଅଧିନିୟମ ଆଧାରରେ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଚାର୍ଜସିଟ୍ ଅନୁଯାୟୀ, କୁରୁଲକର ଏବଂ ଜାରା ଦାସଗୁପ୍ତା ହ୍ଵାଟ୍ସଆପ୍ ଜରିଆରେ ଯୋଗାଯୋଗରେ ରହିବା ସହ ଭଏସ ଏବଂ ଭିଡିଓ କଲ୍ ଜରିଆରେ କଥାବାର୍ତ୍ତା ହେଉଥିଲେ। ଏଟିଏସ କହିଛି, ଏହି ପାକିସ୍ତାନୀ ଗୁପ୍ତଚର ମହିଳା ନିଜକୁ ବ୍ରିଟେନର ବାସିନ୍ଦା ଏବଂ ସଫ୍ଟଓ୍ଵେର ଇଞ୍ଜିନିୟରର ପରିଚୟ ଦେଇଥିଲେ। ସେ କୁରୁଲକରଙ୍କୁ ଅଶ୍ଳୀଳ ସନ୍ଦେଶ ଏବଂ ଭିଡିଓ ପଠାଇ ବନ୍ଧୁତା ସ୍ଥାପନ କରିଥିଲେ। ତଦନ୍ତ ବେଳେ ତାର ଆଇପି ଠିକଣା ପାକିସ୍ତାନର ବୋଲି ଜଣା ପଡ଼ିଥିଲା।

ଅଭିଯୋଗପତ୍ର ଅନୁଯାୟୀ, ପାକିସ୍ତାନୀ ଏଜେଣ୍ଟ ବ୍ରହ୍ମୋସ ଲଞ୍ଚର, ଡ୍ରୋନ, ୟୁଭିସି, ଅଗ୍ନି ମିସାଇଲ ଲଞ୍ଚର ଏବଂ ମିଲିଟାରୀ ବ୍ରିଜିଂ ସିଷ୍ଟମ ସମେତ ଅନୟ ବିଷୟରେ ଗୁଇନ୍ଦା ଏବଂ ସମ୍ବେଦନଶୀଳ ସୂଚନା ପାଇବାକୁ ଉଦ୍ୟମ କରିଥିଲା। ଅଶ୍ଳୀଳ ମେସେଜ ଏବଂ ଭିଡିଓରେ କୁରୁଲକର ଉକ୍ତ ମହିଳା ପ୍ରତି ଆକର୍ଷିତ ହୋଇ ଯାଇଥିଲେ। ସେ ଡିଆରଡିଓର ଗୁଇନ୍ଦା ଏବଂ ସମ୍ବେଦନଶୀଳ ସୂଚନା ନିଜ ଫୋନକୁ ନେଇ ଆସିଥିଲେ ଏବଂ ଜାରାକୁ ପଠାଇଥିଲେ। ଏଟିଏସ ଅନୁଯାୟୀ, ଉଭୟ ୨୦୨୨ ଜୁନରୁ ୨୦୨୨ ଡିସେମ୍ବର ପର‌୍ୟ୍ୟନ୍ତ ସଂପର୍କରେ ଥିଲେ।

କୁରୁଲକରଙ୍କ ଗତିବିଧି ସନ୍ଦେହଜନକ ରହିବା ପରେ ଡିଆରଡିଓ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଥିଲା। ଏହାର ଠିକ୍ ପୂର୍ବରୁ କୁରୁଲକର ୨୦୨୩ ଫେବୃଆରୀରେ ଜାରା ନମ୍ବର ବ୍ଲକ କରି ଦେଇଥିଲେ। ଏହା ପରେ କୁରୁଲକରଙ୍କୁ ଏକ ଅଜଣା ଭାରତୀୟ ନମ୍ବରରୁ ହ୍ଵାଟ୍ସଆପ୍ ଜରିଆରେ ମେସେଜ୍ ଆସିଥିଲା ଯେ, ଆପଣ ମୋର ନମ୍ବର କାହିଁକି ବ୍ଲକ କଲେ। ଏହା ପରେ କୁରୁଲକରଙ୍କ ସବୁ ଖେଳ ସାମ୍ନାକୁ ଆସିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ