ମଣିପୁର ଘଟଣାରେ ଦୋହଲିଲା ଦେଶ, ପିଏମ କ୍ଷୁବ୍ଧ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ବିଭତ୍ସ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ସାମାଜିକ ଗଣମାଧ୍ୟମରେ ଲୋକଙ୍କ କ୍ରୋଧ ଦେଖିବାକୁ ମିଳିଥିବା ବେଳେ ମଣିପୁରର ରାସ୍ତାରେ ଆନ୍ଦୋଳନ ଜୋର ଧରିଛି। ବିରୋଧୀ ଏହି ପ୍ରସଙ୍ଗକୁ ଅସ୍ତ୍ର କରିବାକୁ ପ୍ରସ୍ତୁତି କରୁଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ସକ୍ରିୟ ନଜର ଆସିଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟ ମଧ୍ୟ ନିଜ ଆଡ଼ୁ ଘଟଣାକୁ ଗମ୍ଭୀରତାର ସହ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖ ଧାର୍ଯ୍ୟ କରାଯାଇଛି।
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯାହା ଘଟିଛି, ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବେନି। ମହିଳାମାନଙ୍କ କ୍ଷେତ୍ରରେ ଯାହା ଘଟିଛି, କାହାକୁ ଛଡ଼ା ଯିବନି। ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନହାନୀ ଘଟିଛି। ସମସ୍ତ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନ ଶୃଙ୍ଖଳା ଜମବୁତ କରନ୍ତୁ। ରାଜନୀତିରୁ ଉର୍ଦ୍ଧ୍ଵକୁ ଉଠି ନାରୀଙ୍କ ସମ୍ମାନ ପ୍ରତି ଗୁରୁତ୍ଵ ଦିଅନ୍ତୁ। ମୁଁ ଦେଶବାସୀଙ୍କୁ ପ ପ୍ରତିଶ୍ରୁତି ଦେଉଛି ଯେ, ଦୋଷୀଙ୍କୁ ଛଡ଼ାଯିବନି।
ଏହି ଘଟଣାରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ଵଳ୍ପ ସମୟ ଦେଇ ପାରିବୁ। ଯଦି ସରକାର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆମେ ହସ୍ତକ୍ଷେପ କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ କହିଛନ୍ତି ଯେ, ପୋଲିସ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସବୁ ଦୋଷୀଙ୍କୁ ଧରିବା ପାଇଁ ଧରପଗଡ଼ ଚାଲିଛି। ଦୋଷୀ ଯେପରି ମୃତ୍ୟୁ ଦଣ୍ଡ ପାଇବ ସେଥିପାଇଁ ପଦକ୍ଷେପ ନେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।