ସରପଞ୍ଚ ହେବ ତ ଏମିତି : ଝିପିଝିପି ବର୍ଷାରେ ଘରକୁ ଯାଇ ଦେଲେ ହରିଶ୍ଚନ୍ଦ୍ର ସହାୟତା


କଳାହାଣ୍ଡି,୨୩/୦୭-ଗତ ସପ୍ତାହେ ହେଲା ଲଘୁଚାପ ଯୋଗୁଁ ସମଗ୍ର କଳାହାଣ୍ଡି ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି ! ବିଳମ୍ବିତ ବର୍ଷାକୁ ନେଇ ଏବେ ଚାଷୀ ମନରେ ସାମାନ୍ୟ ଆଶାର ଆଲୋକ ଦେଖିବାକୁ ମିଳିଥିବାବେଳେ ସାଧାରଣ ଲୋକେ କୌଣସି କାମରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି ! ଏଇ ସମୟରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ମାଡ଼ିବନ୍ଧା ଗାଁରେ ସ୍ବାମୀଙ୍କୁ ହରାଇ ଦୁଃଖ ଓ ଶୋକରେ ଭାଙ୍ଗି ପଡ଼ିଛନ୍ତି ଅଞ୍ଜନା ଶବର ନାମ୍ନୀ ଜଣେ ମହିଳା ! ଗତ ପାଞ୍ଚ ଦିନ ତଳେ ତାଙ୍କ ସ୍ବାମୀ ତୀର୍ଥ ଶବର(୨୬)ଙ୍କ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଭାବେ ମୃତ୍ୟୁ ଘଟିଥିଲା ! ତାଙ୍କ ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ଦୁଃଖ ଓ ହତାଶାରେ ଦିନ କାଟୁଛନ୍ତି ଅଞ୍ଜନା ! ଆଖିରୁ ତାଙ୍କର ଲୁହ ଶୁଖୁନାହିଁ ! ଅତି ଅଳ୍ପ ବୟସରେ ବିଧବା ହୋଇଥିବା ଅଞ୍ଜନା ଏବେ ଗର୍ଭବତୀ ଥିବାବେଳେ ବୈଧବ୍ୟ ତାଙ୍କ ପାଇଁ ଦୁର୍ବିସହ ପାଲଟିଛି ! ଏପରି ସମୟରେ ଅଞ୍ଜନାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଲାଞ୍ଜିଗଡ଼ରୋଡ ପଞ୍ଚାୟତର ସରପଞ୍ଚ ସୁଶ୍ରୀ ମମତା ଶବର ! ଆଜି ଦିନତମାମ ଝିପିଝିପି ବର୍ଷା ଲାଗି ରହିଥିବା ସତ୍ତ୍ବେ ମମତା ମାଡ଼ିବନ୍ଧା ଗାଁକୁ ପାଦରେ ଚାଲିଚାଲି ଯାଇ ଅଞ୍ଜନାଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ! ଏହାସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ! ପଞ୍ଚାୟତ ତରଫରୁ ତାଙ୍କୁ ମଧୁବାବୁ ପେନସନ୍ ଯୋଜନା ଓ ତାଙ୍କ ପରିବାରକୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ କରିବାକୁ ସେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ! ସରପଞ୍ଚଙ୍କ ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବ୍ୟାପି ପ୍ରଶଂସା କରାଯାଉଛି ! କୁହାଯାଉଛି ସରପଞ୍ଚ ହେବ ତ ଏମିତି !