ମଣିପୁର ପରି ନ ଜଳୁ ଅନ୍ୟ ପୂର୍ବୋତର ରାଜ୍ୟ, ମିଜୋରାମ ଏବଂ ଆସାମରେ କୁହୁଳୁଛି ନିଆଁ

ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ସମୟ ହେବ ଜଳୁଥିବା ମଣିପୁରରେ ନିଆଁ ଶାନ୍ତ ହେବାର ନାଁ ଧରୁନି। ଏହା ମଧ୍ୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ନିଆଁକୁ ପ୍ରଶମିତ କରା ନ ଯାଏ ତେବେ ଏହା ପୂର୍ବୋତର ଅନ୍ୟ ରାଜ୍ୟକୁ ବ୍ୟାପି ଯାଇପାରେ। ମେ ୩ରୁ ମଣିପୁରରେ କୁକୁ ଏବଂ ମେତେଇ ସମୁଦାୟ ମଧ୍ୟରେ ଲଗାତାର ହିଂସାତ୍ମକ ସଂଘର୍ଷ ଜାରି ରହିଛି। ଏଥିରେ ୧୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି।
ଖବର ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ମିଜୋରାମରେ ବଡ଼ ସଂଖ୍ୟାରେ ମେତେଇ ସମୁଦାୟର ଲୋକେ ପଳାୟନ କରୁଛନ୍ତି। କାରଣ ଉଗ୍ରବାଦୀଙ୍କ ତରଫରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ ମଣିପୁରରେ ଜାରି ହିଂସାକୁ ଦେଖି ସତର୍କ ରହିବାକୁ କୁହାଯାଇଛି। ଶନିବାର ଏକ ହଜାରରୁ ଅଧିକ ମେତେଇ ମିଜୋରାମରୁ ଆସାମର ବରାକ ଘାଟି ପହଞ୍ଚି ଯାଇଛନ୍ତି।
କଛାରରେ ଆସାମ ସରକାର ପକ୍ଷରୁ ରିଲିଫ ଶିବିର ତିଆରି କରାଯାଇଛି। ଏଠାରେ ଜିଲ୍ଲା ପ୍ରଶାସନ ବ୍ୟତୀତ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଅନ୍ୟପଟେ ଅଲ ଆସାମ ମଣିପୁରୀ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ସୋମବାର ଏକ ଆଡଭାଇଜରି ଜାରି କରାଯାଇଛି, ଯେଉଁଥିରେ ବାରାକ ଘାଟିରେ ରହୁଥିବା ମିଜୋଙ୍କୁ ଉକ୍ତ ଜାଗା ଛାଡ଼ି ଚାଲି ଯିବାକୁ ପରାମର୍ଶ ଦିଆଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମିଜୋରାମରେ ରହୁଥିବା ଅଧିକାଂଶ ମେତେଇ ଆସାମର। ଏମିତିରେ ମିଜୋରାମର ବ୍ୟବହାର ଆସାମର ମେତେଇ ସମୁଦାୟକୁ କ୍ଷୁବ୍ଧ କରିଛି। ତେଣୁ ମିଜୋକୁ ନିଜର ସୁରକ୍ଷା ପାଇଁ ଯଥାଶୀଘ୍ର ବାରାକ ଘାଟି ଖାଲି କରିବାକୁ ଅଲ ଆସାମ ମଣିପୁରୀ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସାଂପ୍ରତିକ ସ୍ଥିତିକୁ ଦେଖିଲେ ମଣିପୁର ନିଆଁ ପଡୋଶୀ ରାଜ୍ୟକୁ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।