ଏହା ଏକ ମାତ୍ର କେସ୍ ନୁହେଁ, ଆହୁରି ମହିଳା ପୀଡ଼ିତ ଅଛନ୍ତି; ମଣିପୁର ଉପରେ ହିସାବ ମାଗିଲେ.,..

ନୂଆଦିଲ୍ଲୀ: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା, ମହିଳାଙ୍କ ସହିତ ଯୌନ ଉତ୍ପୀଡ଼ନ ଏବଂ ମାରପିଟ୍ ପରି ଘଟଣାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ପ୍ରଧାନ ବିଚାରପତି କେନ୍ଦ୍ର ଏବଂ ମଣିପୁର ସରକାରଙ୍କଠୁ ହିସାବ ମାଗିଛନ୍ତି ଯେ, ଏ ପର୍ଯ୍ୟନ୍ତ ଏମିତି କେତେ ଘଟଣା ସାମ୍ନାକୁ ଆସିଛି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, କେବଳ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି, ମାତ୍ର ମହିଳାଙ୍କ ସହିତ ଉତ୍ପୀଡ଼ନର ଏହା ଏକମାତ୍ର ଘଟଣା ନୁହେଁ। ଅନେକ ମହିଳାଙ୍କ ସହିତ ଏମିତି ହୋଇଛି।
ଶୁଣାଣି ବେଳେ ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଆମକୁ ଏମିତି ଏକ ତନ୍ତ୍ର ତିଆରି କରିବାକୁ ହେବ, ଯଦ୍ଵାରା ହିଂସା ଏବଂ ଉତ୍ପୀଡ଼ନ ଘଟଣାର ସମାଧାନ ହୋଇ ପାରିବ ଏବଂ ପୀଡ଼ିତଙ୍କୁ ନ୍ୟାୟ ମିଳି ପାରିବ। ଏହି ସମୟରେ ଦୁଇ ମହିଳାଙ୍କ ପକ୍ଷ ରଖି ଆଇନଜୀବୀ କପିଲ୍ ସିବଲ କହିଛନ୍ତି, ପୀଡ଼ିତଙ୍କ କହିବା କତା କେସକୁ ମଣିପୁର ବାହାରକୁ ପଠା ନ ଯାଉ। ଏହ ବ୍ୟତୀତ ସେମାନେ ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି।
ତୁଷାର ମେହଟ୍ଟା କହିଛନ୍ତି, ମାମଲାର ଶୁଣାଣି କେଉଁଠି ହେବା ଉଚିତ୍ ତାର ନିଷ୍ପତ୍ତି ସୁପ୍ରିମକୋର୍ଟ ନେବେ। ଏହା ମଧ୍ୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ସର୍ବପ୍ରଥମେ ଆମକୁ ଏହା ଜାଣିବା ଜରୁରୀ ଯେ, ଅଦ୍ୟାବଧି ଏମିତି କେତେ ଘଟଣା ଘଟିଛି ଏବଂ କେତେ କେସ୍ ଯୌନ ଉତ୍ପୀଡ଼ନର। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଜୁଲାଇ ୩ରୁ ଏ ପର୍ୟ୍ୟନ୍ତ କେତେ ମାମଲା ରୁଜୁ ହୋଇଛି।