Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ କିଛି ସପ୍ତାହରେ ଫେସବୁକ-ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିବନି ନ୍ୟୁଜ୍

ନୂଆଦିଲ୍ଲୀ: ଫେସବୁକ ଏବଂ ଇନଷ୍ଟାଗ୍ରାମରେ ସମାଚାର ଏବଂ ନ୍ୟୁଜ୍ ସଂପର୍କିତ ଭିଡିଓ ଦେଖିବା ଅତୀତ ହୋଇଯିବ। କାରଣ ମେଟା ପ୍ଲାଟଫର୍ମ ଇଙ୍କ ଘୋଷଣା କରିଛି ଯେ, ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ କାନାଡାରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନ୍ୟୁଜ୍ ଅପଲୋଡ ସମାପ୍ତ ହୋଇଯିବ।

ମେଟା ମଙ୍ଗଳବାର କହିଛି ଯେ, କିଛି ସପ୍ତାହ ଭିତରେ ସେ ନିଜର ଲୋକପ୍ରିୟ ଫେସବୁକ ଏବଂ ଇନଷ୍ଟାଗ୍ରାମ ପ୍ଲାଟଫର୍ମର ସମସ୍ତ କାନାଡାଇ ଗ୍ରାହକଙ୍କ ପାଇଁ ସମାଚାର ହଟାଇ ଦେବ। ଜୁନ ମାସରେ କମ୍ପାନୀ ଏକ ପରୀକ୍ଷଣ ଆରମ୍ଭ କରିଥିଲା, ଯେଉଁଥିରେ କେବଳ ପାଞ୍ଚ ପ୍ରତିଶତ ଗ୍ରାହକଙ୍କ ପର୍ଯ୍ୟନ୍ତ ସମାଚାର ସୀମିତ ଥିଲା। ମାତ୍ର ଏବେ କମ୍ପାନୀ ସଂପୂର୍ଣ୍ଣ ଭାବେ ଫେସବୁକ ଓ ଇନଷ୍ଟାଗ୍ରାମରେ ସମାଚାର ପ୍ରସାରଣ ବନ୍ଦ କରିବାକୁ ଯାଉଛି।

ମେଟା କାନାଡାର ସାର୍ବଜନୀନ ନୀତି ପ୍ରମୁଖ ରେଚେଲ କୁରେନ କହିଛନ୍ତି, ଲକ୍ଷାଧିକ କାନାଡି ଲୋକଙ୍କ ଏବଂ ଆମର ପ୍ଲାଟଫର୍ମ ଉପଯୋଗ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସ୍ପଷ୍ଟ ଭାବେ ଜଣାଇ ଦେଉଛୁ ଯେ, ଆମେ କାନାଡାରେ ସାମାଜିକ ଗଣମାଧ୍ୟମରେ ସମାଚାର ଉପଲବ୍ଧତା ସୁବିଧା ସ୍ଥାୟୀ ଭାବେ ସମାପ୍ତ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛୁ। ଏହାର ଅର୍ଥ କାନାଡାବାସୀ ଏବେ ଅନ୍ତର୍ଜାତୀୟ ଆଉଟଲେଟ୍ସ ସହିତ ପ୍ରକାଶକ ଏବଂ ପ୍ରସାରକଙ୍କ ଦ୍ଵାରା ପୋଷ୍ଟ କରାଯାଉଥିବା ନ୍ୟୁଜ୍ ଏବଂ ଅନ୍ୟ ସାମଗ୍ରୀ ନା ଦେଖି ପାରିବେ ନା ଫେସବୁକ ଓ ଇନଷ୍ଟଗ୍ରାମରେ ପୋଷ୍ଟ କରି ପାରିବେ।

ନ୍ୟୁଜ ମିଡିଆ କାନାଡାର ଅଧ୍ୟକ୍ଷ ପଲ୍ ଡିଗନ କହିଛନ୍ତି, ମେଟାର ଏମିତି ପଦକ୍ଷେପ ଉପଯୋଗକାରୀଙ୍କ ଅନୁଭବକୁ କ୍ଷତି ପହଞ୍ଚାଇବ। ଫେସବୁକର ମୂଲ୍ୟ ହ୍ରାସ ଘଟିବ। ଖବର ପ୍ରତି ରୁଚି ରଖୁଥିବା ଲୋକଙ୍କ ଫେସବୁକ୍ ପ୍ରତି ଆକର୍ଷଣ କମିଯିବ। ବିଜ୍ଞାପନ ଦାତା ମଧ୍ୟ ବିଜ୍ଞାପନ ଦେବାକୁ ପଛଘୁଞ୍ଚା ଦେବେ। ଆମେ ଆଶା କରୁଛୁ ଅଧିକରୁ ଅଧିକ ବିଜ୍ଞାପନ ଦାତା ଏବଂ ସେମାନଙ୍କର ଏଜେନ୍ସି ଏମିତି ଏକତରଫା, ଅଗଣତାନ୍ତ୍ରିକ ଏବଂ ଅନୁଚିତ୍ ପଦକ୍ଷେପ ଜବାବରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ହଟାଇ ଦେବେ।

ସୂଚନାଯୋଗ୍ୟ, କାନାଡା ସରକାର ୨୦୨୨ ଏପ୍ରିଲରେ ବିଲ୍ ସି-୧୮ ଉପସ୍ଥାପନ କରିଥିଲେ। ବିଲ୍ ଲାଗୁ ହେବା ପରେ ଗୁଗଲ, ମେଟା ପରି ଟେକ୍ କମ୍ପାନୀକୁ ନ୍ୟୁଜ୍ ପବ୍ଲିସର୍ସଙ୍କ କଣ୍ଟେଣ୍ଟ ପାଇଁ ପେମେଣ୍ଟ କରିବାକୁ ହେବ। ଏହି କାରଣରୁ ମେଟା ବିଲ୍ ସି-୧୮ ଲାଗୁ ହେବା ପୂର୍ବରୁ କାନାଡାରେ ସମସ୍ତ ୟୁଜର୍ସଙ୍କ ପାଇଁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରୁ ନ୍ୟୁଜ୍ ହଟାଇ ଦେବ। ଅନଲାଇନ ନ୍ୟୁଜ୍ ଆକ୍ଟ ବିଲ୍ ସି-୧୮ ଏହି ପ୍ରସ୍ତାବକୁ କାନାଡାର ମିଡିଆ ଇଣ୍ଡଷ୍ଟ୍ରୀର ଅଭିଯୋଗ ପରେ ମଧ୍ୟ ଗୃହୀତ କରାଯାଇଥିଲା। ଏହା ଜରିଆରେ କାନାଡା ସରକାର ଟେକ୍ନୋଲୋଜି କମ୍ପାନୀଙ୍କ ଉପରେ କଡ଼ା ନିୟମ ଚାହୁଁଛି।