ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ, ବିଜେପିକୁ ମିଳିଛି ୬.୪୧ ଘଣ୍ଟା, ଜାଣନ୍ତୁ କେଉଁ ଦଳକୁ କେତେ ସମୟ ମିଳିଛି

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଆରମ୍ଭ ହୋଇ ଯାଇଛି। ବିତର୍କ ଆରମ୍ଭରୁ ଲୋକସଭାରେ ସରଗରମ ସ୍ଥିତି ଦେଖିବାକୁ ମିଳିଛି। ଅଲୋଚନା ସମୟରେ କଂଗ୍ରେସକୁ ୧୫ ମିନିଟ୍ ସମୟ ମିଳିଛି। କାରଣ ଗୃହରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣା ଯାଇଛି, ଏହି ଦୃଷ୍ଟିରୁ ସବୁଠୁ ଅଧିକ ସମୟ ଶାସକ ଭାରତୀୟ ଜନତା ପାର୍ଟିକୁ ଦିଆଯାଇଛି। ଗୃହରେ ଉପସ୍ଥିତ ଅନ୍ୟ ପାର୍ଟି ଓ୍ଵାଇଏସଆର କଂଗ୍ରେସ, ଶିବସେନା, ଜେଡିୟୁ, ବିଜେଡି, ବିଏସପି ଓ ବିଆରଏସ ପରି ପାର୍ଟିକୁ ଅନାସ୍ଥା ପ୍ରସ୍ତାବ ଉପରେ କହିବାକୁ ସମୟ ମିଳିବ। ଅନ୍ୟ ପାର୍ଟିକୁ ଏକ ଘଣ୍ଟା ୧୦ ମିନିଟ୍ ସମୟ ଦିଆଯିବ।
ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇ ଯାଇଛି। କଂଗ୍ରେସ ନେତା ସୌରଭ ଗୋଗୋଇ ସର୍ବପ୍ରଥମେ ନିଜର ପକ୍ଷ ରଖିଛନ୍ତି। ଏହା ପରେ ପର୍ୟ୍ୟାୟ କ୍ରମେ ଅନ୍ୟ ପାର୍ଟି ନିଜର ତର୍କ ରଖିବେ। ତେଣୁ ମଙ୍ଗଳବାର ସଂସଦରେ ହଟ୍ଟଗୋଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅନାସ୍ଥା ପ୍ରସ୍ତାବ ପାଇଁ ୩ ଦିନର ସମୟ ରଖାଯାଇଛି। ଆଉ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରର ମୋଦୀ ନିଜର ଜବାବ ରଖି ପାରନ୍ତି। ଉଲ୍ଲେଖନୀୟ ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ, ମଣିପୁର ହିଂସାକୁ ନେଇ ବିରୋଧୀ ଲଗାତାର ସରକାରଙ୍କୁ ସଂସଦରେ ବିବୃତି ରଖିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ସରକାର ଗୃହରେ କୌଣସି ଜବାବ ନ ଦେବାରୁ ବିରୋଧୀ ବାଧ୍ୟ ହୋଇ ଅନାସ୍ତା ପ୍ରସ୍ତାବ ଆଣିଛନ୍ତି। କାରଣ ଅନାସ୍ଥା ପ୍ରସ୍ତାବ ସମୟରେ ସରକାର ମଣିପୁର ପ୍ରସଙ୍ଗରେ ଜବାବ ଦେବାକୁ ବାଧ୍ୟ ହେବେ ଏବଂ ଏହି ସମୟରେ ସରକାରଙ୍କୁ ଘେରା ଯାଇ ପାରିବ।