ନୂଆଦିଲ୍ଲୀ: ଭାରତର ମହତ୍ଵାକାଂକ୍ଷୀ ଅଭିଯାନ ଚନ୍ଦ୍ରଯାନ-୩ ପର୍ୟ୍ୟାୟକ୍ରମେ ନିଜର ଲକ୍ଷ୍ୟସ୍ଥଳ ଅଭିମୁଖେ ଗତି କରୁଛି। ବୁଧବାର ଚନ୍ଦ୍ର କକ୍ଷପଥର ପଞ୍ଚମ ତଥା ଅନ୍ତିମ ପର୍ୟ୍ୟାୟକୁ ସଫଳତାପୂର୍ବକ ପୂରା କରିଛି। ଫଳରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଭୂପୃଷ୍ଠର ଆହୁରି ନିକଟତର ହୋଇଛି। ଭାରତୀୟ ମହାକାଶ ଗବେଷଣକାରୀ ପ୍ରତିଷ୍ଠାନ (ଇସ୍ରୋ) ଏହାର ସୂଚନା ଦେଇଛି। ଇସ୍ରୋ କହିଛି ଅନ୍ତରୀକ୍ଷ ଯାନ ଚନ୍ଦ୍ର ସମ୍ବନ୍ଧିତ ନିଜର ଅଭ୍ୟାସ ପୂରା କରି ସାରିଛି। ଏବେ ଏହା ପ୍ରଣୋଦନ ମୋଡ୍ୟୁଲ ଓ ଲ୍ୟାଣ୍ଡର ମୋଡ୍ୟୁଲକୁ ଅଲଗା କରିବାର ପ୍ରସ୍ତୁତି କରିବ।
ଇସ୍ରୋ ଟୁଇଟ୍ କରି ଲେଖିଛି ଯେ, ଆଜିର ଫାୟରିଂ ସଫଳ ରହିଛି। ଛୋଟ ଅବଧି ପାଇଁ ଏହା ଆବଶ୍ୟକତା ଥିଲା। ଏଥିରେ ଚନ୍ଦ୍ରଯାନ-୩କୁ ୧୫୩ କିମିଙ୍ଘ ୧୬୩ କିମି କକ୍ଷରେ ସ୍ଥାପିତ କରାଯାଇଛି। ଏବେ ପ୍ରୋପଲସନ ମୋଡ୍ୟୁଲ ଓ ଲ୍ୟାଣ୍ଡରର ପ୍ରସ୍ତୁତି କରାଯିବ। ମୋଡ୍ୟୁଲ ନିଜର ଅଲଗା ଅଲଗା ଯାତ୍ରା ପାଇଁ ପ୍ରସ୍ତୁତ। ଏ ନେଇ ଅଗଷ୍ଟ ୧୭ ତାରିଖ ନିର୍ଦ୍ଧାରିତ କରାଯାଇଛି।
ସୂଚନାଯୋଗ୍ୟ, ଚନ୍ଦ୍ରଯାନ-୩ ଜୁଲାଇ ୧୪ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ କରାଯାଇଥିଲା। ଏହା ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୫ ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା। ଚନ୍ଦ୍ରର ନିକଟତର ହେବା ପାଇଁ ଅଗଷ୍ଟ ୬, ୯ ଓ ୧୪ ତାରିଖ ଲଗାତାର ତିନି ଥର ନିଜର କକ୍ଷପଥ ହ୍ରାସ କରିବାରେ ସଫଳ ହୋଇଥିଲା।