Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଚନ୍ଦ୍ରରେ ରୁଷର ଲୁନା-୨୫ରେ ତ୍ରୁଟି, ଅବତରଣ ପୂର୍ବରୁ ଉପୁଜିଥିଲା ‘ଜରୁରୀକାଳୀନ’ ପରିସ୍ଥିତି

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ରୁଷର ଲୁନା-୨୫କୁ ଏକ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଛି। ରୁଷ ମହାକାଶ ଗବେଷଣକାରୀ ପ୍ରତିଷ୍ଠାନ ରୋସ୍କୋମୋସ ଶନିବାର ଏହାର ସୂଚନା ଦେଇଛି। ସମସ୍ୟା କେଉଁଠି ରହିଛି ତାର ବିଶ୍ଳେଷଣ କରାଯାଉଥିବା ରୋସ୍କୋମୋସ କହିଛି। ଏହି ସମସ୍ୟା ସେହି ସମୟରେ ଦେଖା ଯାଇଛି ଯେତେବେଳେ ଲୁନ-୨୫ ପାଇଁ ସୁରକ୍ଷିତ ଅବତରଣ ସମୟ ଅଗଷ୍ଟ ୨୧ରୁ ଅଗଷ୍ଟ ୨୩ ତାରିଖ ନିର୍ଦ୍ଧାରିତ କରାଯାଇଛି।

ରୁଷ ଏଜେନ୍ସି ରୋସ୍କୋମୋସ କହିଛି, ସ୍ଥାନୀୟ ସମୟନୁସାରେ ଅପରାହ୍ନ ୨ଟା ୧୦ ମିନିଟରେ ଲୁନାକୁ ପ୍ରିଲ୍ୟାଣ୍ଡିଂ ଅର୍ବିଟରେ ପଠାଇବା ପାଇଁ ଉଦ୍ୟମ ହୋଇଥିଲା। ଠିକ୍ ଏହି ସମୟରେ ଅଟୋମେଟିକ ଷ୍ଟେସନରେ ଜରୁରୀକାଳୀନ ସ୍ଥିତି ଉପୁଜିଥିଲା। ଏହି କାରଣରୁ ମିଶନ ଆଗକୁ ବଢି ପାରିନାହିଁ। ୧୯୭୬ରେ ସୋଭିଏତ ଯୁଗର ଲୁନା-୨୪ ମିଶନ ପରେ ପାଖାପାଖି ପାଞ୍ଚ ଦଶନ୍ଧି ପରେ ପ୍ରଥମ ଥର ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ଲୁନା-୨୫କୁ ମହାକାଶ ପଠାଯାଇଛି। ସମ୍ଭାବିତ ଭାବେ ଏହା ପାଖାପାଖି ୧୧ ଦିନରେ ଅଗଷ୍ଟ ୨୧ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବାକୁ ରୋସ୍କୋମୋସ ପକ୍ଷରୁ ପ୍ରୟାସ ଚାଲିଛି।

ରୋସ୍କୋମୋସ ଏହା ଜଣାଇ ନାହିଁ ଯେ, ଏହି ସମସ୍ୟା ଫଳରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୋମବାର ହେବାକୁ ଥିବା ଅବତରଣରେ ବିଳମ୍ବ ଘଟିବ ନା ନିର୍ଦ୍ଧାରିତ ସମୟରେ ହେବ। ରୋସ୍କୋମୋସର ପ୍ରମୁଖ ୟୁରି ବୋରିସୋଭ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣାଇଥିଲେ ଯେ, ଏହି ମିଶନ କଷ୍ଟକର ଅଟେ, କିନ୍ତୁ ଏହାର ସଫଳତା ସମ୍ଭାବନା ପ୍ରାୟ ୭୦ ପ୍ରତିଶତ ରହିଛି। ଯଦି ରୁଷର ଲୁନା-୨୫ ଅବତରଣ କରିବାରେ ସଫଳ ହୁଏ ତେବେ ଏହା ଚନ୍ଦ୍ର ପୃଷ୍ଠରେ ଏକ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି। ଲୁନା-୨୫ ଚନ୍ଦ୍ର ଉପଗ୍ରହର ବିଭିନ୍ନ ନମୂନା ପଠାଇବା ସହ ମାଟିର ବିଶ୍ଳେଷଣ କରିବ। ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ପୂର୍ବରୁ ହିଁ ମହାକାଶରୁ ପୃଥିବୀ ଓ ଚନ୍ଦ୍ରର ଦୂରତାର ଫଟୋ ପଠାଇ ସାରିଛି।

More Stories