ନୂଆଦିଲ୍ଲୀ: ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଚନ୍ଦ୍ରଯାନ-୩ର ସଫଳ ଅବତରଣର ଅପେକ୍ଷା ରହିଛି। ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ସେହି ଐତିହାସିକ ମୁହୂର୍ତ୍ତକୁ ଯେତେବେଳେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଆଜି ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟରେ ନରମ ଅବତରଣ କରିବ। ଏହି ଦୁଲର୍ଭ ଦୃଶ୍ୟର ସିଧା ପ୍ରସାରଣ ପାଇଁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଯାନ-୩ର ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣର ସିଧା ପ୍ରସାରଣ ଅନେକ ପ୍ଲାଟଫର୍ମରେ ହେବ।
ଏହି ମହତ୍ଵପୂର୍ଣ୍ଣ ଘଟଣାକ୍ରମର ପ୍ରସାରଣ ଆଜି ସନ୍ଧ୍ୟା ୫ଟା ୨୭ ମିନିଟରୁ ଆରମ୍ଭ ହେବ। ଲ୍ୟାଣ୍ଡିଂ ପ୍ରସାରଣକୁ ଇସ୍ରୋର ଓ୍ଵେବସାଇଟ୍, ୟୁଟ୍ୟୁବ୍ ଚ୍ୟାନେଲ, ଇସ୍ରୋର ଫେସବୁକ ପେଜ୍ ଓ ଡିଡି ନ୍ୟାସନାଲ ଟିଭି ଚ୍ୟାନେଲ ସହିତ ଅନେକ ମଞ୍ଚରେ ଦେଶବାସୀ ଏହା ଦେଖି ପାରିବେ। ଏଥିପାଇଁ ସମଗ୍ର ଦେଶର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ରୀ ଓ ଶିକ୍ଷକମାନଙ୍କୁ ଆମନ୍ତ୍ରିତ କରାଯାଇଛି। ଆଶା କରାଯାଉଛି ଚନ୍ଦ୍ରଯାନ-୩ ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ନରମ ଅବତରଣ କରିବ।

ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରଯାନ-୩ ମିଶନ ଉପରେ ନଜର ରଖିଛନ୍ତି। ମଙ୍ଗଳବାର ଇସ୍ରୋ ନିଜର ବିବୃତିରେ କହିଛି ଯେ, ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସବୁ କିଛି ଆଗକୁ ବଢୁଛି। ପ୍ରଣାଳୀର ନିୟମିତ ଯାଞ୍ଚ କରାଯାଉଛି ଏବଂ ଲ୍ୟାଣ୍ଡରର ସୂଚାରୁ ରୂପେ ସଞ୍ଚାଳନ ଜାରି ରହିଛି। ୟୁରୋପୀୟ ମହାକାଶ ଏଜେନ୍ସି(ଇଏସଏ) ଓ ଜେପିଏଲ ଡିପ୍ ସ୍ପେସ୍ ଆଣ୍ଟିନାର ସହଯୋଗରେ ପୂରା ମିଶନ ସମୟରେ ଯାନର ଉପରେ ଟିକିନିକି ଯାଞ୍ଚ କରାଯାଉଛି।
ସୂଚନାଯୋଗ୍ୟ, ଜୁଲାଇ ୧୬ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ଦ୍ଵିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-୩କୁ ଇସ୍ରୋର ସବୁଠୁ ଓଜନ ରକେଟ୍ ଏଲଭିଏମ ୩-ଏମ ୪ ଜରିଆରେ ଉତକ୍ଷେପଣ କରାଯାଇଥିଲା। ଉଡାଣର ପାଖାପାଖି ୧୬ ମିନିଟ୍ ପରେ ଏହାକୁ ପୃଥିବୀର କକ୍ଷ ପଥରେ ଅବସ୍ଥାପିତ କରାଯାଇଥିଲା। ପୁଣି ପର୍ଯ୍ୟାୟ କ୍ରମେ କକ୍ଷପଥ ବଦଳା ଯାଇ ଚନ୍ଦ୍ରର କକ୍ଷ ପଥରେ ସ୍ଥାପିତ କରାଯାଇଥିଲା। ଚନ୍ଦ୍ରଯାନରେ ଏକ ସ୍ଵଦେଶୀ ଲ୍ୟାଣ୍ଡର ମୋଡ୍ୟୁଲ(ଏଲଏମ), ପ୍ରପଲସନ ମୋଡ୍ୟୁଲ(ପିଏମ) ଓ ଗୋଟିଏ ରୋଭର(ପ୍ରଜ୍ଞାନ) ସାମିଲ୍।