ନୂଆଦିଲ୍ଲୀ: ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଚନ୍ଦ୍ରଯାନ-୩ର ସଫଳ ଅବତରଣର ଅପେକ୍ଷା ରହିଛି। ସମସ୍ତେ ଚାହିଁ ରହିଛନ୍ତି ସେହି ଐତିହାସିକ ମୁହୂର୍ତ୍ତକୁ ଯେତେବେଳେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଆଜି ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟରେ ନରମ ଅବତରଣ କରିବ। ଏହି ଦୁଲର୍ଭ ଦୃଶ୍ୟର ସିଧା ପ୍ରସାରଣ ପାଇଁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଯାନ-୩ର ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣର ସିଧା ପ୍ରସାରଣ ଅନେକ ପ୍ଲାଟଫର୍ମରେ ହେବ।
ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ମାତ୍ରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ଵର ପ୍ରଥମ ଦେଶ ଭାବେ ଇତିହାସ ରଚିବ। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର-ରୋଭର ଗୋଟିଏ ଦିନ କାମ କରିବ, ଅର୍ଥାତ ପୃଥିବୀର ୧୪ ଦିନର ବରାବର। ଇସ୍ରୋର ଏହି ମହତ୍ଵାକାଂକ୍ଷୀ ମିଶନରେ ପୂରା ଦେଶର ଆଶା ଜଡ଼ିତ ରହିଛି। ଚନ୍ଦ୍ରଯାନ-୩ ପୂରା ଦେଶକୁ ଏକଜୁଟ କରି ଦେଇଛି। ମନ୍ଦିରଠୁ ନେଇ ମସଜିଦ ପର୍ଯ୍ୟନ୍ତ ସବୁଠି ପ୍ରାର୍ଥନା କରାଯାଉଛି। ସମଗ୍ର ଦେଶ ଚନ୍ଦ୍ରଯାନ-୩କୁ ନେଇ ଉତ୍ସାହିତ।
ଏହି ମହତ୍ଵପୂର୍ଣ୍ଣ ଘଟଣାକ୍ରମର ପ୍ରସାରଣ ଆଜି ସନ୍ଧ୍ୟା ୫ଟା ୨୭ ମିନିଟରୁ ଆରମ୍ଭ ହେବ। ଲ୍ୟାଣ୍ଡିଂ ପ୍ରସାରଣକୁ ଇସ୍ରୋର ଓ୍ଵେବସାଇଟ୍, ୟୁଟ୍ୟୁବ୍ ଚ୍ୟାନେଲ, ଇସ୍ରୋର ଫେସବୁକ ପେଜ୍ ଓ ଡିଡି ନ୍ୟାସନାଲ ଟିଭି ଚ୍ୟାନେଲ ସହିତ ଅନେକ ମଞ୍ଚରେ ଦେଶବାସୀ ଏହା ଦେଖି ପାରିବେ। ଏଥିପାଇଁ ସମଗ୍ର ଦେଶର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ରୀ ଓ ଶିକ୍ଷକମାନଙ୍କୁ ଆମନ୍ତ୍ରିତ କରାଯାଇଛି। ଆଶା କରାଯାଉଛି ଚନ୍ଦ୍ରଯାନ-୩ ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ନରମ ଅବତରଣ କରିବ।